କଳିଙ୍ଗ ପୁରସ୍କାର ବନ୍ଦକୁ ନେଇ କେନ୍ଦ୍ର ସରକାରଙ୍କୁ ନବୀନଙ୍କ ଟାର୍ଗେଟ, ଲେଖିଲେ ଚିଠି


ଭୁବନେଶ୍ବର: କଳିଙ୍ଗ ପୁରସ୍କାର ବନ୍ଦ ପାଇଁ ଚକ୍ରାନ୍ତ କରାଯାଇଛି । କେନ୍ଦ୍ରକୁ ଚିଠି ଲେଖି କଡ଼ା ଭାଷାରେ ସମାଲୋଚନା କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ।
ଧରାପଡିଲା ବିଜେପି ସରକାରଙ୍କ ଷଡ଼ଯନ୍ତ୍ର । ୟୁନେସ୍କୋ କଳିଙ୍ଗ ପୁରସ୍କାର ବନ୍ଦ । ଏହାକୁ ପୁଣି ଚାଲୁ କରିବାକୁ କେନ୍ଦ୍ର ବିଜ୍ଞାନ ଓ କାରିଗର କୌଶଳ ମନ୍ତ୍ରୀ ଜିତେନ୍ଦ୍ର ପ୍ରସାଦଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ୧୯୫୨ ମସିହାରୁ ଆରମ୍ଭ ହୋଇଥିବା ଏହି ପୁରସ୍କାର ବର୍ତ୍ତମାନ ସୁଦ୍ଧା ୭୨ ଜଣ ବିଶିଷ୍ଟ ବୈଜ୍ଞାନିକ ଓ ୭ ଜଣ ନୋବେଲ ପୁରସ୍କାର ବିଜେତାଙ୍କୁ ପ୍ରଦାନ କରାଯାଇଛି । ୟୁନେସ୍କୋର ବଦାନ୍ୟତା ଯୋଗୁଁ ଏହି ପୁରସ୍କାର ଆନ୍ତର୍ଜାତୀୟ ମାନ୍ୟତା ଲାଭ କରିଥିଲା । ୧୯୫୧ ମସିହାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏହି ପୁରସ୍କାର ବିଜ୍ଞାନ ଓ ଗବେଷଣାକୁ ଲୋକପ୍ରିୟ କରିବାକୁ ଆରମ୍ଭ କରିଥିଲେ ।
କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ପ୍ରସାଦ ନିଜେ ଏହି ଘଟଣାରେ ହସ୍ତକ୍ଷେପ କରି ପୁରସ୍କାରକୁ ପୁଣି ଲାଗୁ କରିବାକୁ ଅନୁରୋଧ କରିଛନ୍ତି ନବୀନ । ଓଡ଼ିଶାର ଗର୍ବ ଓ ସ୍ୱାଭିମାନ ହେଉଛି କଳିଙ୍ଗ ପୁରସ୍କାର । କଳିଙ୍ଗ ପୁରସ୍କାର ଅନୁଦାନ ବନ୍ଦ କରିଛି କେନ୍ଦ୍ର । ଏହି ପୁରସ୍କାର ବନ୍ଦ କରି ମିଛ ଓଡ଼ିଆ ଅସ୍ମିତାର ପ୍ରମାଣ ଦେଇଛି ବିଜେପି ସରକାର । ସାଧାରଣରେ ଏହାକୁ ନେଇ ବଢୁଛି ତୀବ୍ର ଅସନ୍ତୋଷ । ଓଡ଼ିଶା ସରକାର ସବୁ ଜାଣି ନିରବ ରହିଛନ୍ତି । ଏପରିକି କଳିଙ୍ଗ ପୁରସ୍କାରକୁ ଅନୁଦାନ ବନ୍ଦ ନେଇ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଉନାହିଁ ।