ପୁଣି ଖୋଲିବ ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର ପେଡି, ବଢିବ ବିଜେଡିର ଅଡୁଆ


ଭୁବନେଶ୍ଵର: ପୁଣି ଖୋଲିବ ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର ପେଡି । କେସ୍ ରିଓପନ କରିବାକୁ ଯାଉଛନ୍ତି ବିଜେପି ସରକାର। ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି ଯେ, ନବ ଦାସ ଜଣେ ବିଜେଡି ନେତା ହେଲେ ମଧ୍ୟ ସେ ଜଣେ ମନ୍ତ୍ରୀ ଥିଲେ । ଆଉ ସ୍ପଷ୍ଟ ଦିବାଲୋକରେ ଜଣେ ମନ୍ତ୍ରୀଙ୍କ ହତ୍ୟାକୁ କେବେ ବି ହାଲକା ଭାବେ ଗ୍ରହଣ କରାଯାଇପାରିବ ନାହିଁ । ସେହିଭଳି ଖାଲି ନବ ଦାସ ହତ୍ୟା ମାମଲା ନୁହେଁ, ନିଷ୍କର୍ସ ବାହାରି ନ ଥିବା ହତ୍ୟା ମାମଲାର ପର୍ଦ୍ଦାଫାସ ହେବ । ଯେଉଁ ଜାଗାରେ ତଦନ୍ତରେ ଅନୈତିକତା ହୋଇଛି ତାର ପୁନଃ ତଦନ୍ତ ହେବ । ସବୁ ଚର୍ଚ୍ଚିତ ହତ୍ୟାକାଣ୍ଡର ନିଷ୍କର୍ସ ବାହାରିବା ପର୍ଯ୍ୟନ୍ତ ପଦକ୍ଷେପ ନିଆଯିବ । କାହାରିକୁ ବି ଛଡା ଯିବନି ।

ଆଇନ ମନ୍ତ୍ରୀ କହିଛନ୍ତି ଅନେକ ପୁରୁଣା କେସର ରିଓପନ କରାଯିବ । ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲା ଏବଂ ମମିତା ମେହେର ହତ୍ୟା ମାମଲା ମଧ୍ୟ ରିଓପନ ହେବ । ନବ ଦାସ ଜଣେ ବିଜେଡି ନେତା ହେଲେ ମଧ୍ୟ ସେ ଜଣେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ । ଆଉ ସ୍ପଷ୍ଟ ଦିବାଲୋକରେ ଜଣେ ମନ୍ତ୍ରୀଙ୍କ ହତ୍ୟାକୁ କେବେ ବି ହାଲକା ଭାବେ ଗ୍ରହଣ କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି । ଉଲ୍ଲେଖନୀୟ ୨୦୨୩ ଜାନୁଆରୀ ୨୯ରେ ନବ ଦାସଙ୍କୁ ଦିନ ଦ୍ୱିପ୍ରହରରେ ଗୁଳି କରି ହତ୍ୟା କରିଥିଲେ ଏଏସଆଇ ଗୋପାଳ ଦାସ । ଏହି ହତ୍ୟାକାଣ୍ଡ ପଛରେ ବିଜେଡି ନେତାଙ୍କ ସମ୍ପୃକ୍ତି ଥିବା ନେଇ ମଧ୍ୟ ଅଭିଯୋଗ ଆସିଥିଲା । ଅଭିଯୁକ୍ତ ଗୋପାଳ ଦାସ ଜେଲରେ ଥିଲେ ମଧ୍ୟ ଏହି ହତ୍ୟାକାଣ୍ଡ ପଛରେ ବଡ଼ ଷଡ଼ଯନ୍ତ୍ର ଥିବା ନେଇ ଅଭିଯୋଗ ହୋଇଥିଲା ।

ଏହି ହତ୍ୟାକାଣ୍ଡର କାରଣ ଉପରୁ ଏଯାଏଁ ପରଦା ହଟିନାହିଁ । ନବଦାସଙ୍କୁ ଗୋପାଳ କାହିଁକି ମାରିଲା ତାର ପ୍ରକୃତ କାରଣ ଜଣା ପଡିନି । କେବଳ ନବ ଦାସ ହତ୍ୟା ମାମଲା ନୁହେଁ ଅନେକ ପୁରୁଣା କେସର ରିଓପନ କରାଯିବ । ୨୦୦୮ରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲା ଏବଂ ୨୦୨୨ରେ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ମଧ୍ୟ ରିଓପନ ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ଆଇନ ମନ୍ତ୍ରୀଙ୍କ ଏଭଳି ସୂଚନା ପରେ ଏହା ଉପରେ ପ୍ରତିକ୍ରିୟା ରଖି ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର କହିଛନ୍ତି, ଆଇନର ଧାରା ଅନୁଯାୟୀ କେସ୍ ଚାଲିଥାଏ । ସେହି ଅନୁସାରେ କୋର୍ଟରେ ବିଚାର ହୁଏ । କେସ୍ ରିଓପନ କରିବା ନ କରିବା ସେଇଟା ଆଇନର ପରିସର । ଆଇନର ଧାରା ଯାହା ଆସିବ ସେହି ଅନୁଯାୟୀ ସେମାନେ କରିବେ । ଲୋକଙ୍କ ମନରେ ନବ ଦାସ ହତ୍ୟାକାଣ୍ଡ ନେଇ କୌଣସି ସନ୍ଦେହ ନାହିଁ । ପୂର୍ବ ସରକାର ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଠିକ ଭାବେ ତଦନ୍ତ କରାଯାଇଛି ଏବଂ ଆଇନର ପରିସର ଭିତରେ ଠିକ ଭାବେ ପଦକ୍ଷେପ ନିଆଯାଇଛି ।

ବହୁଚର୍ଚ୍ଚିତ ନବ ଦାସ ହତ୍ୟା ଘଟଣାକୁ ନେଇ ସେତେବେଳେ ରାଜନୀତି ଢ଼େର୍ ସରଗରମ ହୋଇଥିଲା। ଏହାକୁ ପ୍ରମୁଖ ଅସ୍ତ୍ର କରି ରାସ୍ତାକୁ ଓହ୍ଲାଇଥିଲେ ବିରୋଧୀ । ଏବେ ସରକାର ବଦଳିବା ପରେ ଆଇନ୍ ମନ୍ତ୍ରୀ ଯେତେବେଳେ ପୁଣି ଫାଇଲ୍ ରିଓପନ କଥା ଉଠାଇଛନ୍ତି ସେତେବେଳେ ଏହାକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି । ଏମିତି ହେଲେ ବିଜେଡିର ଅଡୁଆ ବଢିବା ନିଶ୍ଚିତ ।