କେଜରିୱାଲଙ୍କୁ ବଡ ଝଟକା, ଜାମିନ ଦେବାକୁ ମନା କେଲ ସୁପ୍ରିମକୋର୍ଟ; ଜେଲରେ ମନାଇବେ ୨ ଉତ୍ସବ


ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କୁ ଲାଗିଛି ବଡ ଝଟକା । ସୁପ୍ରିମକୋର୍ଟ କେଜରିୱାଲଙ୍କୁ ତୁରନ୍ତ ଜାମିନ ପ୍ରଦାନ କରିବାକୁ ମନା କରି ଦେଇଛନ୍ତି । ଏହାର ଅର୍ଥ ସ୍ୱାଧୀନତା ଦିବସ ଓ ରକ୍ଷାବନ୍ଧନରେ କେଜରିୱାଲଙ୍କୁ ଜେଲ ଭିତରେ ରହିବାକୁ ପଡିବ । ସିବିଆଇ କେସରେ ଗିରଫଦାରୀକୁ ଚ୍ୟାଲେଞ୍ଜ ଦେବା ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଜାମିନ ପାଇଁ ଆବେଦନ କରିଥିଲେ । ତାଙ୍କୁ ଇଡି କେସରୁ ପୂର୍ବରୁ ହିଁ ଜାମିନ ମିଳି ସାରିଛି ।

କେଜରିୱାଲଙ୍କ ଗିରଫଦାରୀକୁ ଦିଲ୍ଲୀ ହାଇକୋର୍ଟ ଉଚିତ୍ ଦର୍ଶାଇଥିଲେ ଏବଂ ଜାମିନ ପାଇଁ ଟ୍ରାଏଲ କୋର୍ଟ ଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସର୍ବୋଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ ଦେଇଛନ୍ତି । ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁଙ୍କ ପୀଠ ଏହି ଯାଚିକା ଉପରେ ଶୁଣାଣି କରୁଛନ୍ତି ।

କେଜରିୱାଲଙ୍କ ପକ୍ଷରୁ ହାଜର ଓକିଲ ଅଭିଷେକ ମନୁ ସିଙ୍ଘଭିଙ୍କୁ ସୁପ୍ରିମକୋର୍ଟ କହିଛନ୍ତି, ଆମେ କୌଣସି ଅନ୍ତରୀଣ ଜାମିନ ପ୍ରଦାନ କରୁନୁ । ଆମେ ବର୍ତ୍ତମାନ ନୋଟିସ୍ ଜାରି କରୁଛୁ । ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୩ ତାରିଖ ନିର୍ଦ୍ଧାରିତ କରିଛନ୍ତି କୋର୍ଟ ।

ଦିଲ୍ଲୀ ହାଇକୋର୍ଟ ଅଗଷ୍ଟ ୫ ତାରିଖରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସିବିଆଇ ଦ୍ୱାରା ଗିରଫଦାରୀକୁ ଉଚିତ୍ ଦର୍ଶାଇଥିଲେ । କୋର୍ଟ କହିଥିଲେ, ସିବିଆଇର ଗିରଫଦାରୀ ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରୀ ବିନା କୌଣସି ଉଚିତ୍ କାରଣରେ କରାଯାଇଛି କହିବା ଭୁଲ ହେବ । ଅଦାଲତ ଏହା ମଧ୍ୟ କହିଛନ୍ତି କେଜରିୱାଲ କୌଣସି ସାଧାରଣ ନାଗରିକ ନୁହନ୍ତି । ସେ ଜଣେ ମାଗାସେସେ ପୁରସ୍କାରପ୍ରାପ୍ତ ବ୍ୟକ୍ତି ।