ସୋନପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ଆନନ୍ଦ ଉଲ୍ଲାସ ମଧ୍ୟରେ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି I ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା ଦାସ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସକାଳ ୯.୧୫ମି ସମୟରେ ରାମେଶ୍ଵର ଷ୍ଟାଡିୟମ୍ ଠାରେ ଜାତୀୟ ପତାକା ଉତ୍ତୋଳନ କରି ଜିଲ୍ଲାବାସୀ ଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ତ୍ୟାଗ ଓ ବଳିଦାନ ର କାହାଣୀ ମନେ ପକାଇ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l ଏହା ସହିତ ସୁବର୍ଣ୍ଣପୁର ର ଇତିହାସ ଏୈତିହ୍ୟ ଓ ବୟନଶିଳ୍ପ ର ଭୂୟସୀ ପ୍ରଶଂସା କରିବା ସହ ଜିଲ୍ଲାର ତଥା, ରାଜ୍ୟ ଓ ଦେଶର ପ୍ରଗତିରେ ଆକୁଣ୍ଠ ସହଯୋଗ ପାଇଁ ଆହ୍ୱାନ କରିଥିଲେ I ଷ୍ଟାଡିୟମ୍ ଠାରେ ପରେଡ କମାଣ୍ଡର , ରିଜର୍ଭ ଇନ୍ସପେକ୍ଟର ସରୋଜ କୁମାର ବେହେରା ଙ୍କ ତତ୍ୱାବଧାନରେ ପରିଚାଳିତ ପରେଡ୍ ରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରୁ ଅଂଶଗ୍ରହଣ କରିଥିବା ୪୨ ଟି ପରେଡ ଦଳର ଅଭିବାଦନ ଗ୍ରହଣ କରିଥିଲେ I ସାହାରା ଟ୍ରଷ୍ଟ ହାଇସ୍କୁଲ , ଲିଟିଲ ଫ୍ଲାୱାର ଇଣ୍ଟରନେସନାଲ ସ୍କୁଲ , ସେନ୍ଟ ଆନି କନଭେଣ୍ଟ ସ୍କୁଲ , କୋଶଳ ବିଦ୍ୟାଳୟ ଏବଂ ଆଦର୍ଶ ସରକାରୀ ଉପ୍ରା ସ୍କୁଲ, ର ଛାତ୍ରଛାତ୍ରୀ ମାନେ ଚିତ୍ତାକର୍ଷକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ହର ଘର ତ୍ରିରଙ୍ଗା ଅଭିଯାନ ଓ ସ୍ଵାଧୀନତା ଦିବସ ପାଳନ ଅବସରରେ ଜିଲ୍ଲାର ଗର୍ବ ଓ ଗୌରବ ପଦ୍ମଶ୍ରୀ ଓ ଜାତୀୟ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ବ୍ୟକ୍ତି ବିଶେଷ ପଦ୍ମଶ୍ରୀ ଚତୁର୍ଭୁଜ ମେହେର , ଜାତୀୟ ପୁରସ୍କାର ପ୍ରାପ୍ତ ଶ୍ରୀ ଶ୍ୟାମ ସୁନ୍ଦର ମେହେର , ଶ୍ରୀ ଉତ୍ତମ କୁମାର ମେହେର ଓ ଶ୍ରୀ ରସାନନ୍ଦ ମେହେର ଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ପୁନଶ୍ଚ ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ବ୍ୟକ୍ତି ବିଶେଷ ଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ। ସେହିପରି ହାଇସ୍କୁଲ ଦଶମ ବୋର୍ଡ଼ ଏବଂ ଆଇ ସି ଏସ ଇ, ସି ବି ଏସ ଇ ବୋର୍ଡ ପରୀକ୍ଷାରେ ତଥା ଯୁକ୍ତଦୁଇ କଳା ,ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ଜିଲ୍ଲାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା I ଏହା ସହିତ ହାଇସ୍କୁଲ ଦଶମ ବୋର୍ଡ଼ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରିଥିବା ସାହାରା ଟ୍ରଷ୍ଟ ହାଇସ୍କୁଲ ଓ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର , ବିନିକା ସ୍କୁଲକୁ ସମ୍ମାନିତ କରାଯାଇଥିଲା I ଆମ ପୋଲିସ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ଯୋଗାଇ ଦେଇଥିବା ବିନିକା ଥାନା କୁ ପୁରସ୍କୃତ କରାଯାଇଥିଲା I ପ୍ୟାରେଡରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଏନସିସି , ସ୍କାଉଟ ଗାଇଡ଼ , ରେଡକ୍ରସ , ଏନଏସଏସ, ତଥା ସିଭିଲିଆନ ବରିଷ୍ଠ ଓ କନିଷ୍ଠ ବର୍ଗ ଦଳଙ୍କୁ ଟ୍ରଫି ସହ ସମ୍ମାନିତ କରାଯାଇଥିଲା l ଦିବସର ବିଶେଷ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ସ୍ଥାନୀୟ ଉତ୍କଳ ବାଳାଶ୍ରମ ଅନ୍ତେବାସୀଙ୍କୁ ପୋଷକ ଓ ମିଷ୍ଟାନ ବଣ୍ଟନ କରିଥିଲେ l ସେହିପରି ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଚିକିତ୍ସିତ ରୋଗୀ ଙ୍କୁ ଫଳ ବଣ୍ଟନ, କାରାଗାର ର ଅନ୍ତେବାସୀ ମାନଙ୍କୁ ମିଷ୍ଟାନ୍ନ ଓ ଫଳ ବଣ୍ଟନ, ଭିନ୍ନକ୍ଷମ ବିଦ୍ୟାଳୟ ପାଣିସିଆଲି ର ଛାତ୍ର ଛାତ୍ରୀଙ୍କୁ ମିଷ୍ଟାନ ବଣ୍ଟନ ସହିତ ଉପଜିଲ୍ଲାପାଳ ସୋନପୁର ଙ୍କ ଦ୍ୱାରା ସ୍ଥାନୀୟ ସୁବର୍ଣ୍ଣମେରୁ କୁଷ୍ଠା ଶ୍ରମର ଅନ୍ତେବାସୀଙ୍କୁ ଧୋତି, ଶାଢ଼ୀ ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ସୋନପୁର କୁଞ୍ଜ ଛକ ଠାରେ ପୌର ପରିଷଦ ସୋନପୁର ଓ ଜିଲ୍ଲା ବନ ଖଣ୍ଡ ବିଭାଗ ସହଯୋଗରେ ରାସ୍ତାରେ ବୃକ୍ଷ ରୋପଣ କରାଯାଇଥିଲା I ସ୍ଵାଧୀନତା ଦିବସ ପାଳନ ଅବସରରେ ନୂତନ ଟାଉନହଲ ଠାରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ତ୍ରିରଙ୍ଗା କାନ୍ସର୍ଟ ଓ ପୁରସ୍କାର ବିତରଣ ଅନୁଷ୍ଠିତ କରାଯାଇଥିଲା l ଏଥିରେ ସ୍ଵାଧୀନତା ଦିବସ ପାଇଁ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା I ବିଭିନ୍ନ ବିଦ୍ୟାଳୟ ଓ ସାଂସ୍କୃତିକ ଅନୁଷ୍ଠାନ ର ଛାତ୍ରଛାତ୍ରୀମାନେ ଏବଂ ଶିଶୁ କଳାକାର ମାନେ ସୁନ୍ଦର ଦେଶାତ୍ମୋବୋଧକ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ I ପଦ୍ମଶ୍ରୀ ଚତୁର୍ଭୁଜ ମେହେର, ଅତିରିକ୍ତ ଜିଲ୍ଲାପାଳ, ରାଜେନ୍ଦ୍ର ମାଝୀ, ଅଞ୍ଜଳିନା ପ୍ରଧାନ,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ, ଅଶ୍ୱିନୀ କୁମାର ମେହେର, ତହସିଲଦାର ସୌମ୍ୟରୁପା ରଥ ସନ୍ଧ୍ୟା ସାଂସ୍କୃତିକ ବିଚିତ୍ରା ତଥା ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗଦେଇଥିଲେ I ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ଵିନି କୁମାର ଭୋଇ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପଧାନ ଦିବସର ବିଭିନ୍ନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସକାଳେ ମୁଖ୍ୟଅତିଥି ଜିଲ୍ଲାପାଳ ଙ୍କ ସହ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ବରିଷ୍ଠ ଅଧିକାରୀ ସହରରେ ଅବସ୍ଥାପିତ ଜାତିର ପିତା ମହାତ୍ମାଗାନ୍ଧୀ ଙ୍କ ସହ ଅନ୍ୟାନ୍ୟ ବରପୁତ୍ର ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ଏ ଅବସରରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ୟସ ପ୍ରତାପ ଶ୍ରୀମଲ , ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ , ନେତୃ ସ୍ଥାନୀୟ ବ୍ୟକ୍ତି ବିଶେଷ , ବିଭିନ୍ନ ସାମାଜିକ ଅନୁଷ୍ଠାନ , ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା , ସ୍କୁଲ କଲେଜ ଛାତ୍ର ଛାତ୍ରୀ , ଶିକ୍ଷକ ଶିକ୍ଷୟତ୍ରୀ , ଆଧ୍ୟପକ, ଅଧ୍ୟାପିକା , ଜିଲ୍ଲାର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ , ସାମ୍ବାଦିକ , ପ୍ରମୁଖ ଯୋଗଦାନ କରିଥିଲେ l