Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାରହା ଶିକାର ବିଦ୍ୟୁତ ଫାସରୁ ଅଳ୍ପକେ ବର୍ତ୍ତୀଲେ ଯୁବକ ଅଭିଯୁକ୍ତ ଶିକାରୀ ପୁଲିସ ଦ୍ୱାରା ଗିରଫ

ଝାରସୁଗୁଡା ୧୮/୮ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ବେଳପାହାଡ଼ ବନ୍ୟାଞ୍ଚଳ ଅନ୍ତର୍ଗତ କନକତୋରା ଫରେଷ୍ଟ ସେକ୍ସନ ଅଞ୍ଚଳରେ ବିଦ୍ୟୁତ ଫାସ ଲଗାଇ ଦୁର୍ବୁତ୍ତ ମାନେ ପ୍ରାୟ ପ୍ରତ୍ୟେକ ଦିନ ଅବାଧ ଭାବେ ବନ୍ୟଜନ୍ତୁ ଶିକାର କରୁଛନ୍ତି । ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉଥିଲେ ମଧ୍ୟ ଆଇନ କାନୁନଙ୍କୁ ସେମାନେ କୌଣସି ଖାତିରି ନ କରି ତାଙ୍କର କାର୍ଯ୍ୟ କଳାପ ଜାରି କରିଛନ୍ତି । ଯାହା ଫଳରେ ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ଫାସ ସଂସ୍ପର୍ଶରେ ଆସି ଅନେକ ନିରୀହ ଲୋକ ମୃତ୍ୟୁ ବରଣ କରିଥିବା ଆଗରୁ ନଜିର ରହିଛି ।
ଶୁକ୍ରବାର ସନ୍ଧ୍ୟାରେ ମଧ୍ୟ ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ଫାସରୁ ଜଣେ ଯୁବକ ମୃତ୍ୟୁ ମୁଖରୁ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି ।
ମିଲିଥିବା ତଥ୍ୟ ଅନୁଯାୟୀ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସୀମାନ୍ତ ୧୯ ଖଣ୍ଡ ମୌଜା କଣ୍ଡେଇକେଲା ପଞ୍ଚାୟତ ସେମେଳିଆ ଗ୍ରାମର ବିନୋଦ ସା ଶୁକ୍ରବାର ସନ୍ଧ୍ୟା ସମୟରେ ଗାଁ ନିକଟରେ ନିଜ ଚାଷଜମି ଦେଖିବା ପାଇଁ ଯାଇଥିଲେ । କିନ୍ତୁ ଠିକ ସେତିକି ବେଳେ ତାଙ୍କ ଚାଷଜମିକୁ ଲାଗି ରହିଥିବା ଜଙ୍ଗଲ ରାସ୍ତାରେ କେହି ଜଣେ ଦୁର୍ବୁତ୍ତ ଜେଇ ତାର ଟାଣି ସେଥିରେ ବିଦ୍ୟୁତ ସଂଯୋଗ କରି ବାରହା ଶିକାର ପାଇଁ ଫାସ ବିଛାଇ ଯାଇଥିବା ଦେଖି ଗାଁ ଲୋକଙ୍କୁ ଖବର ଦେଇବାରୁ ଗାଁ ଲୋକେ ଘଟଣା ସ୍ଥଳରେ ପହଞ୍ଚି ପଚରା ଉଚୁରା କରିଥିଲେ ଏବଂ ସେହି ଗାଁର ଅମୃତ ସା ଙ୍କ ପୁଅ ପ୍ରହଲ୍ଲାଦ ସା ବାରହା ଶିକାର ପାଇଁ ବିଦ୍ୟୁତ ଫାସ ଲଗାଇଥିବା ଜାଣିବାକୁ ପାଇଥିଲେ ଏବଂ ରେଙ୍ଗାଲି ପୁଲିସକୁ ସୂଚନା ଦେଇଥିଲେ । ରେଙ୍ଗାଲି ଥାନା ଅଧିକାରୀ ଅଭିମନ୍ୟୁ ଦୁର୍ଗାଙ୍କ ନିର୍ଦ୍ଦେଶ କ୍ରମେ କନକତୋରା ପୁଲିସ ବିଟ ହାଉସ ଅଧିକାରୀ ରମେଶ ଭଇଁସାଲ ଘଟଣା ସ୍ଥଳରେ ପହଞ୍ଚି ବିଦ୍ୟୁତ ବିଭାଗ କର୍ମଚାରୀ ମାନଙ୍କ ସହଯୋଗରେ ସେଥିରୁ ବିଦ୍ୟୁତ ସଂଯୋଗ ବିଛିନ୍ନ କରି ସମସ୍ତ ବାରହା ଫାସ ସରଞ୍ଜାମକୁ ଜବତ କରିଥିଲେ ଏବଂ ତଦନ୍ତ କରିବା ସମୟରେ ବାରହା ଶିକାର ପାଇଁ ସେ ନିଜେ ବିଦ୍ୟୁତ ଫାସ ବିଛାଇ ଥିବା ପ୍ରହଲ୍ଲାଦ ଦୋଷ ସ୍ୱୀକାର କରିବା ପରେ ତାକୁ ଗିରଫ କରି ତା ବିରୁଦ୍ଧରେ ଏକ ମାମଲା ରୁଜୁ କରା ଯାଇଥିଲା । ଶନିବାର ଅଭିଯୁକ୍ତ ପ୍ରହଲ୍ଲାଦକୁ କୋର୍ଟ ଚାଲାଣ କରା ଯାଇଥିବା ରେଙ୍ଗାଲି ଥାନା ଅଧିକାରୀ ଶ୍ରୀ ଦୁର୍ଗା ସୂଚନା ଦେଇଥିଲେ ।
ସୂଚନା ଥାଉକି ଗତ ୨୦୨୩ ଜୁଲାଇ ୨୭ ତାରିଖ ଭୋର ସକାଳୁ ସେହି ସେମେଳିଆ ଗ୍ରାମର ଛବିଳ ସା (୫୦) ଗାଁ ନିକଟରେ ଥିବା ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ବିଦ୍ୟୁତ ବାରହା ଫାସରେ ଲାଗି ମୃତ୍ୟୁ ବରଣ କରିଥିଲେ । ଉକ୍ତ ଘଟଣାରେ ମଧ୍ୟ ପ୍ରହଲ୍ଲାଦ ର ସମ୍ପୃକ୍ତି ଥିବା ଯୋଗୁଁ ତାକୁ କୋର୍ଟ ଚାଲାଣ କରା ଯାଇଥିଲା । କିଛି ମାସ ହେବ ପ୍ରହଲ୍ଲାଦ ସର୍ତ୍ତ ମୂଳକ ଜାମିନ ରେ ଆସିଥିବା ଥାନାଧିକାରୀ ଶ୍ରୀ ଦୁର୍ଗା ପ୍ରକାଶ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ