ଗଞ୍ଜାମ: ନିଶାଗ୍ରସ୍ତ ବେରୋଜଗାର ପୁଅକୁ ଘାରିଲା ବାପାର ପେନସନ୍ ଟଙ୍କା । ମାତ୍ର ବୃଦ୍ଧ ବାପା ବିରୋଧ କରିବାରୁ ପାଲଟି ଗଲା ସଇତାନ । ବାପାଙ୍କ ଏଟିଏମ କାର୍ଡ ହାତେଇବାକୁ ମୁଣ୍ଡକୁ ପିଟିବା ସହ ତାଙ୍କ ଉପରେ ପକାଇ ଦେଲା ଆଲମିରା । ଆଉ ପୁଅକୁ ଏହି ସଇତାନୀ କାମରେ ସହଯୋଗ କରିଥିଲା ତା’ କିନ୍ନର ପ୍ରେମିକା । ସମ୍ପତ୍ତି ଲୋଭରେ ନିଜ ବୃଦ୍ଧ ବାପାର ଜୀବନ ନେଇଥିବା ପୁଅ ସମେତ କିନ୍ନର ପ୍ରେମିକାକୁ ବାନ୍ଧିଛି ପୋଲିସ୍ । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଅଯୋଧ୍ୟା ନଗରରେ ।
ମୃତକ ହେଲେ ରାଜସ୍ୱ ବିଭାଗର ଅବସରପ୍ରାପ୍ତ କିରାଣି ଗରୀବବନ୍ଧୁ ପଣ୍ଡା (୭୪) । ଗରୀବବନ୍ଧୁଙ୍କ ହତ୍ୟା ଘଟଣାରେ ପୋଲିସ୍ ତାଙ୍କ ପୁଅ ସନ୍ଦୀପ ପଣ୍ଡା ଓ ତାଙ୍କ କିନ୍ନର ପ୍ରେମିକା ଶ୍ରୀୟାଙ୍କୁ ଗିରଫ କରିଛି ।
ଗରୀବବନ୍ଧୁ ଅଯୋଧ୍ୟା ନଗର ତୃତୀୟ ଲାଇନ୍ରେ ନିଜ ଘରେ ରହୁଥିଲେ । ଗରୀବବନ୍ଧୁଙ୍କ ପତ୍ନୀଙ୍କର ବହୁ ବର୍ଷ ପୂର୍ବେ ମୃତ୍ୟୁ ହୋଇ ସାରିଥିବା ବେଳେ ତାଙ୍କ ଝିଅ ଆମେରିକାରେ ରୁହେ । ଗୋଟିଏ ବୋଲି ପୁଅ ସନ୍ଦୀପ ଡିପ୍ଲୋମା ପଢ଼ି ମୁମ୍ବାଇରେ ଚାକିରି କରୁଥିଲା ।
ସନ୍ଦୀପ ପୂର୍ବରୁ ବିବାହିତ ଥିବା ବେଳେ ପତ୍ନୀ ୨ ବର୍ଷ ପୂର୍ବେ ତାଙ୍କୁ ଛାଡ଼ି ଚାଲି ଯାଇଛନ୍ତି । ମୁମ୍ବାଇରେ ଥିବା ବେଳେ ସନ୍ଦୀପ ଶ୍ରୀୟାଙ୍କ ସଂସ୍ପର୍ଶରେ ଆସିଥିଲେ । ଶ୍ରୀୟା ଜଣେ କିନ୍ନର । ତାଙ୍କର ପ୍ରକୃତ ନାମ ପ୍ରବୀଣ କୁମାର ଶର୍ମା I ତାଙ୍କ ଘର ମହାରାଷ୍ଟ୍ରର ଥାଣେ ଜିଲ୍ଲାର କାଲପ୍ପା ଥାନା ଅନ୍ତର୍ଗତ ଶିବାଜୀନଗର ଅଞ୍ଚଳରେ ।
ଉଭୟ ସନ୍ଦୀପ ଓ ଶ୍ରୀୟା ୩ ମାସ ହେଲା ମୁମ୍ବାଇରୁ ଆସି ଗରୀବବନ୍ଧୁଙ୍କୁ ପାଖରେ ରହୁଥିଲେ । ସେମାନେ ତାଙ୍କ ପେନସନ୍ ଟଙ୍କା ହଡ଼ପ୍ କରିବା ସହ ଅନେକ ସମୟରେ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମଧ୍ୟ ମାରୁଥିଲେ ।
ବୈଦ୍ୟନାଥପୁର ଥାନା ଏସ୍ଡିପିଓଙ୍କ ସୂଚନା ଅନୁଯାୟୀ, ଗରୀବବନ୍ଧୁ ୨୯ ହଜାର ଟଙ୍କା ପେନସନ୍ ପାଉଥିଲେ । ଏହାକୁ ତାଙ୍କ ପୁଅ ସନ୍ଦୀପ ଓ ତାଙ୍କ ବାନ୍ଧବୀ ଶ୍ରୀୟା ହଡ଼ପ କରିବାକୁ ଚାହୁଁଥିଲେ । ଉଭୟ କିଛି କରୁ ନଥିବା ବେଳେ ସବୁବେଳେ ନିଶାସକ୍ତ ରହୁଥିଲେ । ତେଣୁ ସେମାନେ ଗରିବବନ୍ଧୁଙ୍କ ଏଟିଏମ କାର୍ଡ ହଡ଼ପ କରିବାକୁ ଚେଷ୍ଟା କରୁଥିଲେ । ମାତ୍ର ଗରୀବବନ୍ଧୁ ଏହାକୁ ବିରୋଧ କରିବାରୁ ସେମାନଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା ।
ଗତ ୧୪ ତାରିଖ ରାତିରେ ଘଟଣା ଉଗ୍ର ରୂପ ଧାରଣ କଲା । ଉଭୟ ପକ୍ଷଙ୍କ ମଧ୍ୟରେ ପାଟିଗୋଳ ହେବାରୁ ସନ୍ଦୀପ ଓ ଶ୍ରୀୟା ଗରୀବବନ୍ଧୁଙ୍କ ମୁଣ୍ଡକୁ ପ୍ରଥମେ କାନ୍ଥରେ ପିଟି ଦେଇଥିଲେ । ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେଉଥିବା ବେଳେ ଏତିକିରେ ଉଭୟଙ୍କ ମନ ଶାନ୍ତି ହୋଇ ନ ଥିଲା । ଘରେ ଥିବା ଆଲମାରିଙ୍କୁ ଗରୀବବନ୍ଧୁଙ୍କ ଉପରେ ପକାଇ ଦେଇଥିଲେ । ଫଳରେ ତାଙ୍କ ପଞ୍ଜରା ହାଡ଼ ଭାଙ୍ଗି ଯାଇଥିଲା ।
ଏହାପରେ ମଧ୍ୟ ତତ୍କ୍ଷଣାତ ସେମାନେ ତାଙ୍କୁ ମେଡିକାଲ ନେଇ ନଥିଲେ। ୧୫ ତାରିଖ ଦିନ ଯାକ ଉଭୟ ତାଙ୍କୁ ଘରେ ରଖିଥିଲେ । କିଛି ଖାଇବାକୁ ଦେଇ ନଥିଲେ କି ଚିକିତ୍ସା ସୁବିଧା ଯୋଗାଇ ଦେଇ ନଥିଲେ। ଏହାପରେ ୧୬ ତାରିଖ ସକାଳେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏନେଇ ମେଡିକାଲ ପକ୍ଷରୁ ବୈଦ୍ୟନାଥପୁର ପୋଲିସ୍କୁ ସୂଚନା ଦିଆଯାଇଥିଲା । ଏହାପରେ ଗରୀବବନ୍ଧୁଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା । ବ୍ୟବଚ୍ଛେଦ ରିପୋର୍ଟରୁ ଗରୀବବନ୍ଧୁଙ୍କ ପଞ୍ଜରା ହାଡ଼ ଭାଙ୍ଗିଥିବା ବେଳେ ଶରୀରର ଏକାଧିକ ସ୍ଥାନରେ କ୍ଷତ ଚିହ୍ନ ଥିବା ଜଣାପଡ଼ିଥିଲା । ତେଣୁ ଏହା ଏକ ହତ୍ୟା ମାମଲା ବୋଲି ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ।
ଏହାକୁ ଆଧାର କରି ବୈଦ୍ୟନାଥପୁର ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ ଆରମ୍ଭ କରି ଗରୀବବନ୍ଧୁଙ୍କ ଘରେ ପହଞ୍ଚିଥିଲେ । ସେଠାରେ ଯାହା ଦେଖିଥିଲେ ସେମାନେ ଚକିତ ରହି ଯାଇଥିଲେ । ଘରର ଜିନିଷ ଛିନଛତ୍ର ହୋଇ ପଡ଼ିଥିବା ବେଳେ ରକ୍ତ ଛିଟା କାନ୍ଥ ସମେତ ଘରର ଛାତରେ ଲାଗିଥିବା ଦେଖିବାକୁ ମିଳିଥିଲା । ତେଣୁ କିପରି ଅତି ବୀଭତ୍ସ ଭାବେ ଗରୀବବନ୍ଧୁଙ୍କୁ ହତ୍ୟା କରାଯାଇଛି ତାହା ଏଥିରୁ ସ୍ପଷ୍ଟ ହେଉଛି ।
ପୋଲିସ୍ ଛାନଭିନ କରିବା ସହ ସନ୍ଦୀପ ଓ ଶ୍ରୀୟାଙ୍କୁ ପଚରାଉଚରା କରିବାରୁ ସେମାନେ ସବୁ ସତ କଥା ମାନିବା ସହ ନିଜ ଦୋଷ ସ୍ୱୀକାର କରିଥିଲେ । ଏହି ଘଟଣାରେ ପୋଲିସ୍ ମାମଲା ରୁଜୁ କରି ଉଭୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।