ପୁରୀ: ସାକ୍ଷୀଗୋପାଳ ମନ୍ଦିରର ଝୁଲଣ ମଣ୍ଡପରେ ଜୋତା ପିନ୍ଧା ମୂର୍ତ୍ତିକୁ ନେଇ ଆରମ୍ଭ ହୋଇଛି ବିବାଦ । ମନ୍ଦିର ଟ୍ରଷ୍ଟ ବୋର୍ଡର ବିନା ଅନୁମତିରେ ମନ୍ଦିରରେ ଏଭଳି ପରିବର୍ତ୍ତନକୁ ଗ୍ରହଣ କରିପାରୁନାହାନ୍ତି ସେବାୟତ ଓ ଭକ୍ତ ।
ଝୁଲଣ ମଣ୍ଡପରେ ପ୍ରତ୍ୟେକ ବର୍ଷ କାଗଜରେ ପ୍ରସ୍ତୁତ କଣ୍ଢେଇ, ସଖୀ, ଭୀମ ଅର୍ଜୁନଙ୍କ ବିଶାଳକାୟ ପ୍ରତିକୃତିକୁ ସ୍ଥାନିତ କରାଯାଏ । ହେଲେ ପରମ୍ପରା ଓ ସଂସ୍କୃତିକୁ ଜଳାଞ୍ଜଳି ଦେଇ ଚଳିତବର୍ଷ ଝୁଲଣ କୁଞ୍ଜକୁ ଅଧିକ ସୌନ୍ଦର୍ଯ୍ୟକରଣ କରିବାକୁ ଫାଇଭରରେ ପ୍ରସ୍ତୁତ ଅନେକ ସଖୀ, କଣ୍ଢେଇ ଓ ଜୋତା ପିନ୍ଧା ଦୁଇଟି ବିଶାଳକାୟ ମୂର୍ତ୍ତି ସ୍ଥାନିତ କରାଯାଇଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
ସେବାୟତ ଏନେଇ ଦୁଃଖ ପ୍ରକାଶ କରିବା ସହ ତୁରନ୍ତ ମନ୍ଦିର ପ୍ରଶାସନ ଏ ସମ୍ପର୍କରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ସୋଶାଲ ମିଡିଆରେ ଭିଡିଓ ଭାଇରାଲ ପରେ ଜୋତା ପିନ୍ଧା ମୂର୍ତ୍ତିର କିଛି ଅଂଶକୁ ଘୋଡ଼ାଇ ଦିଆଯାଇଛି । ଅନ୍ୟପଟେ କୌଣସି ପରମ୍ପରା ବିରୋଧୀ କାମ ହୋଇ ନଥିବା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଫେଇ ଦେଇଛନ୍ତି ।
ଏନେଇ ସାକ୍ଷୀଗୋପିନାଥଙ୍କ ସେବାୟତ କିଶୋର ମହାପାତ୍ର କହିଛନ୍ତି, ସୌନ୍ଦର୍ଯ୍ୟକରଣ ନାଁରେ ପରମ୍ପରାକୁ ଭୁଲିଯିବା ଉଚିତ ନୁହେଁ । ଦୁଃଶାସନଙ୍କ ମୂର୍ତ୍ତି ଫାଇଭରରେ ହୋଇଥିବା ବେଳେ ତାହାକୁ ଅପସାରଣ କରା ନଯାଇ ଗୋଡ଼ରେ ଜୋତା ପିନ୍ଧାଇ ଦିଆଯାଇଛି । ଉକ୍ତ ମୂର୍ତ୍ତିକୁ ତୁରନ୍ତ ଅପସାରଣ କରାଯିବା ଉଚିତ । ମାତ୍ର ଏଦିଗରେ ବିହିତ ପଦକ୍ଷେପ ଗ୍ରହଣ ନ କରିବା ଅତ୍ୟନ୍ତ ନିନନ୍ଦନୀୟ ।