ନୂଆଦିଲ୍ଲୀ: କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସୁପ୍ରିମକୋର୍ଟ ଖପ୍ପା । ଘଟଣାରେ ବହୁ ବିଳମ୍ବରେ ଏଫ୍ଇଆର୍ ରୁଜୁ ହେବାକୁ ନେଇ ଉଠାଇଲେ ପ୍ରଶ୍ନ । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ କ’ଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି ? ତଦନ୍ତ କେତେ ଦୂର ପହଞ୍ଚିଛି ବୋଲି କୋର୍ଟ ସିବିଆଇକୁ ପ୍ରଶ୍ନ କରିଛନ୍ତି । ଏଥିସହ ଗୁରୁବାର ସୁଦ୍ଧା ଷ୍ଟାଟସ୍ ରିପୋର୍ଟ ଦେବାକୁ ସିବିଆଇକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୨ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
କୋଲକାତା ଆର୍ଜିକର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ସିଜେଆଇଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ଶୁଣାଣି ବେଳେ ଖଣ୍ଡପୀଠି ଏହି ମାମଲାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ।
ସିଜେଆଇ କହିଛନ୍ତି, ଦୁଷ୍କର୍ମ ଓ ହତ୍ୟା ବ୍ୟତୀତ ଏହା ସମଗ୍ର ଦେଶରେ ଡାକ୍ତରଙ୍କ ସୁରକ୍ଷାର ବିଷୟ । ଡାକ୍ତର, ବିଶେଷ କରି ମହିଳା ଡାକ୍ତର ଓ ଯୁବ ଡାକ୍ତରଙ୍କ ସୁରକ୍ଷାକୁ ନେଇ ଆମେ ଚିନ୍ତିତ । ସୋଶାଲ ମିଡିଆରେ ପୀଡିତାଙ୍କ ଫଟୋ, ପରିଚୟ ପୋଷ୍ଟମର୍ଟମ ପରେ ପୀଡିତାଙ୍କ ଶରୀରର ଫଟୋ ଦେଖାଇବା ବେଶ୍ ଉଦ୍ବେଗ ଜନକ ।
ସେପଟେ ଏହି ମାମଲାକୁ ନେଇ ପଶ୍ଚିମବଙ୍ଗ ସରକାର ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ମେଡିକାଲ କଲେଜ ଅଧ୍ୟକ୍ଷଙ୍କ ଭୂମିକାକୁ ନେଇ ମଧ୍ୟ କୋର୍ଟ ପ୍ରଶ୍ନ କରିଛନ୍ତି । ହତ୍ୟାକୁ ଆତ୍ମହତ୍ୟା ରୂପ ଦିଆଯିବାକୁ ଚେଷ୍ଟା କରାଯାଇଥିଲା କି ? ପୀଡିତାଙ୍କ ବାପା-ମା’ଙ୍କୁ କାହିଁକି ବିଳମ୍ବରେ ସୂଚନା ଦିଆଗଲା ? ସେମାନଙ୍କୁ କାହିଁକି ସାକ୍ଷାତ କରିବାକୁ ଅନୁମତି ଦିଆଗଲା ନାହିଁ ? ପ୍ରିନ୍ସିପାଲ୍ କ’ଣ କରୁଥିଲେ ? FIR ଦାଖଲ କରିବାରେ କାହିଁକି ବିଳମ୍ବ ହେଲା ? ପୀଡିତାଙ୍କ ଶବ ସତ୍କାର ପରେ କାହିଁକି ଏଫ୍ଆଇଆର୍ ରୁଜୁ କରାଗଲା ବୋଲି ସିଜେଆଇ ପଶ୍ଚିମବଙ୍ଗ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।
ଅନ୍ୟପଟେ ଡାକ୍ତରଙ୍କୁ ଆନ୍ଦୋଳନରୁ ଓହରିବା ପାଇଁ ପରାମର୍ଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ହସ୍ପିଟାଲ ୨୪ ଘଣ୍ଟିଆ ଖୋଲାଥିବା, ଡାକ୍ତର ଡ୍ୟୁଟି କରୁଥିବାରୁ ସୁରକ୍ଷା ଜରୁରୀ ବୋଲି ସିଜେଇ କହିଛନ୍ତି । ଏଥିଲାଗି ଡାକ୍ତରଙ୍କ ସୁରକ୍ଷା ପାଇଁ ଟାସ୍କଫୋର୍ସ ଗଠନ କରାଯିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏହି ଟାସ୍କଫୋର୍ସ ସିନିୟର ଓ ଜୁନିଅର ଡାକ୍ତରଙ୍କ ସୁରକ୍ଷା ପାଇଁ ସାରା ଦେଶରେ କି କାର୍ଯ୍ୟପନ୍ଥା ହେବ ସେ ନେଇ ପରାମର୍ଶ ଦେବ ।