ପୁରୀ: ଖଜା ଦୋକାନକୁ ନେଇ ପୁରୀରେ ଘଟିଥିବା ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ୍ । ଘଟଣାରେ ସମ୍ପୃକ୍ତ ୯ ଜଣଙ୍କୁ ଗିରଫ କରାଯାଇଛି । ସେମାନଭ୍କ ମଧ୍ୟରେ ୭ ଜଣ ନାବାଳକ ଅଛନ୍ତି । ଖଜା ବ୍ୟବସାୟୀ ଦୀନେଶ ଖୁଣ୍ଟିଆ ହତ୍ୟାର ପ୍ରତିଶୋଧ ପାଇଁ ଅଗଷ୍ଟ ୧୯ରେ ହରିହର ସାହୁ ନାମକ ଜଣେ ଦିବ୍ୟାଙ୍ଗଙ୍କୁ ବିଚ୍ ରାସ୍ତାରେ ହତ୍ୟା କରାଯାଇଥିଲା ।
ପୋଲିସ୍ ହରିହର ସାହୁ ହତ୍ୟା ଘଟଣାରେ ଗିରଫ କରିଥିବା ୯ ଜଣଙ୍କ ମଧ୍ୟରେ ଦୀନେଶ ଖୁଣ୍ଟିଆର ବାପା ଓ ଭାଇ ବି ରହିଛନ୍ତି । ଅଭିଯୁକ୍ତ ବାପ-ପୁଅ ହେଲେ ରାଧା ଗୋବିନ୍ଦ ଲେନର ବିଜୟ ଖୁଣ୍ଟିଆ ଓ ରାକେଶ କୁମାର ଖୁଣ୍ଟିଆ । ଦୀନେଶ ଖୁଣ୍ଟିଆ ହତ୍ୟା ମାମଲାରେ ହରିହର ସାହୁଙ୍କ ପୁଅ ଏବେ ଜେଲରେ ଅଛନ୍ତି ।
ପୁରୀ ଏସ୍ପି ପିନାକ ମିଶ୍ରଙ୍କ କହିବା କଥା ଯେ ହରିହର ସାହୁ ହତ୍ୟାକାଣ୍ଡରେ ମୋଟ ୧୧ ଜଣ ସାମିଲ ରହିଛନ୍ତି । ୯ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ୨ ଜଣ ଫେରାର ରହିଛନ୍ତି । ଫେରାର ଦୁଇ ଅଭିଯୁକ୍ତ ମଧ୍ୟ ନାବାଳକ । ପାରିବାରିକ ଶତ୍ରୁତା ସହ ଖଜା ବ୍ୟବସାୟକୁ ନେଇ ଦୁଇ ଦୁଇଟି ହତ୍ୟାକାଣ୍ଡ ଘଟିଥିଲା ।
ଗିରଫ ଅଭିଯୁକ୍ତମାନଙ୍କ ଠାରୁ ଗୋଟେ ଖଣ୍ଡା ,୨ଟି କଟୁରୀ ଓ ଗୋଟିଏ କାତି ଜବତ କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କୁ ରିମାଣ୍ତରେ ଅଣାଯିବ ବୋଲି ଏସ୍ପି ମିଶ୍ର ସୂଚନା ଦେଇଛନ୍ତି ।
ଗତ ୮ ତାରିଖରେ ଖଜା ବ୍ୟବସାୟକୁ କେନ୍ଦ୍ରକରି ରାଧା ଗୋବିନ୍ଦ ଲେନ୍ରେ ଯୁବ ଖଜା ବ୍ୟବସାୟୀ ଦିନେଶ ଖୁଣ୍ଟିଆଙ୍କୁ ପ୍ରଦୀପ ସାହୁ ଓ ତା’ର ସହଯୋଗୀମାନେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ପୋଲିସ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ତେବେ ଏହି ଘଟଣାକୁ କେନ୍ଦ୍ରକରି ମୃତ ଦିନେଶ ଖୁଣ୍ଟିଆର ବଡ଼ ଭାଇ ଓ ବାପା ପ୍ରତିଶୋଧ ପରାୟଣ ହୋଇ ଗତ ୧୯ ତାରିଖ ଶୁକ୍ରବାର ସନ୍ଧ୍ୟାରେ ଅଭିଯୁକ୍ତ ପ୍ରଦୀପ ସାହୁଙ୍କ ବାପା ହରିହର ସାହୁଙ୍କୁ ଅତି ନିର୍ମମ ଭାବେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିଲେ ।
ଘଟଣା ପରେ ସିଟି ଡିଏସପି ପ୍ରଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ କରାଯାଇଥିଲା । ଆଜି ୯ ଜଣଙ୍କୁ ଗିରଫ କରାଯାଇଛି ବୋଲି ଏସ୍ପି ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଅପରାଧ ଦୁନିଆକୁ ନାବାଳକମାନେ ପ୍ରବେଶ କରିବା ଚିନ୍ତାର ବିଷୟ ପାଳଟିଛି । ସହରର ବିଭିନ୍ନ ଥାନାରେ ନାବାଳକଙ୍କ ନାମରେ ଥିବା ଅପରାଧିକ ମାମଲା ସବୁକୁ ଯାଞ୍ଚ କରାଯାଇ ସେମାନଙ୍କୁ କାଉନସେଲିଂ କରିବାକୁ ପଦକ୍ଷେପ ନିଆଯାଉଛି । ସେମାନଙ୍କ ଅଭିଭାବକମାନଙ୍କୁ ଡାକି ସଚେତନ କରାଯିବା ପାଇଁ ବି ପ୍ରୟାସ କରାଯିବ ବୋଲି ଏସ୍ପି କହିଛନ୍ତି ।