ଲାଞ୍ଚ ନେବା ବେଳେ ଧରାପଡ଼ିଲେ କନିଷ୍ଠ ରାଜସ୍ବ ସହାୟକ


ବୌଦ୍ଧ: ୨୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ ରାଜସ୍ୱ ସହାୟକ (JRA) । ବକେୟା ବିଲ୍‌ କରାଇ ଦେବାକୁ କହି ନେଉଥିଲେ ଲାଞ୍ଚ । ଭିଜିଲାନ୍ସ ଟିମ୍‌ JRAଙ୍କ ଅଫିସ୍‌, ସରକାରୀ କ୍ୱାର୍ଟର୍ସ ଓ ପୌତୃକ ଘରେ ଚଢ଼ଉ କରିଛି ।

୨୦୨୧-୨୨ ମସିହାରେ ବୌଦ୍ଧ ଜିଲ୍ଲା ମ୍ୟୁଜିୟମ୍‌ରେ ଭୁବନେଶ୍ୱରର ଏକ ଠିକା ସଂସ୍ଥା ଆକ୍ୟୁରମ୍‌ ପ୍ରକଳ୍ପ କରିଥିଲା । ସେହି ପ୍ରକଳ୍ପର ପୂର୍ଣ୍ଣାଙ୍ଗ ବିଲ୍‌ ମିଳୁ ନଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କନିଷ୍ଠ ରାଜସ୍ୱ ସହାୟକ(JRA) ଭାବେ କାର୍ଯ୍ୟ କରୁଥିଲେ ଚୌଧୁରୀ ପୁପୁନ କୁମାର ଦାଶ ଏହି ବିଲ୍ ପାଇଁ ଡିଲ୍‌ କରିଥିଲେ । ୨୫ ହଜାର ଟଙ୍କା ଦେଲେ ଫାଇନାଲ୍‌ କରି ଦିଆଯିବ ବୋଲି ସେ କହିଥିଲେ । ଏନେଇ ଠିକା ସଂସ୍ଥା ପକ୍ଷରୁ ଭିଜିଲାନ୍ସରେ ଅଭିଯୋଗ କରାଯାଇଥିଲା ।

ଆଜି ଅପରାହ୍ନରେ ଠିକା ସଂସ୍ଥାର ଜଣେ କର୍ମଚାରୀ ଯୋଜନା ବଦ୍ଧ ଭାବେ ଦାଶଙ୍କୁ ଡିଲ୍‌ ହୋଇଥିବା ୨୫ ହଜାର ଟଙ୍କା ତାଙ୍କ ସରକାରୀ କ୍ୱାର୍ଟର୍ସରେ ଦେଉଥିଲେ । ସେହି ସମୟରେ ସେଠାରେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ମାଡି ବସିଥିଲେ । ଏପରିକି ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲେ । ଭିଜିଲାନ୍ସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି ।