ପାହାଡ଼ରୁ ମିଳିଲା ନିଖୋଜ ଦମ୍ପତିଙ୍କ ମୃତଦେହ


ବାଲେଶ୍ବର: ୯ ଦିନ ହେଲା ନିଖୋଜ ଥିଲେ ସ୍ବାମୀ-ସ୍ତ୍ରୀ । ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ବି ମିଳି ନଥିଲା କୌଣସି ଖବର । ଆଜି ପାହାଡ଼ ଉପରୁ ଉଭୟଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଔପଦା ଥାନା ଜାତପଦା ଗାଁରେ । ମୃତ ପତିପତ୍ନୀ ହେଲେ ଖୁଣ୍ଟିଆ ମାଝୀ ଏବଂ ପାର୍ବତୀ ମୁର୍ମୁ l ଜାତପଦା ନିକଟରେ ଥିବା ଦେବଗିରି ପାହାଡ଼ ଉପରେ ଉଭୟଙ୍କ ମୃତଦେହ ଠାବ କରାଯାଇଛି ।

ଖୁଣ୍ଟିଆ ପୂର୍ବରୁ ବିବାହିତ ଥିବା ବେଳେ ହସଖୁସିରେ ଚାଲିଥିଲା ସଂସାର । ମାତ୍ର ଅସୁସ୍ଥତା ହେତୁ ଗତବର୍ଷ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ସେ ପ୍ରାୟ ୨ ମାସ ହେବ ପାର୍ବତୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ ।

ସବୁ କିଛି ଠିକ୍‌ ଚାଲିଥିବା ବେଳେ ଗତ ମଙ୍ଗଳବାରଠୁ ଉଭୟ ଖୁଣ୍ଟିଆ ଓ ପାର୍ବତୀଙ୍କ ଘରୁ ଗାଏବ ହୋଇ ଯାଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ପୋଲିସ୍‌କୁ ଖବର ଦେଇଥିଲେ । ପୋଲିସ୍‌ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ବି ସେମାନଙ୍କ ପତ୍ତା ମିଳି ନଥିଲା । ଜାତପଦା ଗାଁର କିଛି ଲୋକେ ପାହାଡ଼ ଉପରକୁ ଛେଳି ଚରାଇବାକୁ ଯାଇଥିବା ବେଳେ ଦୁଇ ଜଣକ ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ । ‌ଉଭୟଙ୍କ ମୃତଦେହ ପଚି ଯାଇଥିବା ବେଳେ ସେଥିରୁ ଦୁର୍ଗନ୍ଧ ବାହାରୁଥିଲା । ଏନେଇ ଔପଦା ପୋଲିସକୁ ସେମାନେ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହା ଆତ୍ମହତ୍ୟା ନା କେହି ସେମାନଙ୍କୁ ହତ୍ୟା କରି ପାହାଡ଼ ଉପରେ ଫିଙ୍ଗି ଦେଇଛି ତାହା ସ୍ପଷ୍ଟ ହୋଇନି ।