ଭୁବନେଶ୍ବର: ରାଜ୍ୟରେ ମଦ ମୃତ୍ୟୁ ବଢ଼ାଇଲା ସରକାରଙ୍କ ଚେନ୍ତା । ବିଷାକ୍ତ ମଦ ପିଇ ଦୁଇ ଜଣଙ୍କ ମୃତ୍ୟୁ ଘଟିବା ପରେ ଆକ୍ସନ ମୋଡ଼ରେ ସରକାର । ଏଣିକି ବେଆଇନ ମଦ କାରବାରରେ ସମ୍ପୃକ୍ତ ଥିବା ଜଣାପଡ଼ିଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏଭଳି ମାମଲାରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଖୋଜି ବାହାର କରାଯିବା ସହିତ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନ କରାଯିବ । ଏଥିସହିତ ବେଆଇନ୍ ତଥା ଚୋରା ମଦ କାରବାରକୁ ସଂପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ । ଏଥିପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ଗଞ୍ଜାମ ଜିଲ୍ଲା ଚିକିଟିଠାରେ ହୋଇଥିବା ମଦ ଘଟଣା ନେଇ ମନ୍ତ୍ରୀ ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ଓ ଅବକାରୀ କମିଶନର ନରସିଂହ ଭୋଳଙ୍କ ସହ ଆଲୋଚନା କରି ସବିଶେଷ ତଥ୍ୟ ମାଗିଛନ୍ତି । ରାଜ୍ୟରେ ବେଆଇନ ମଦ କାରବାର କେବେ ବି ଗ୍ରହଣୀୟ ନୁହେଁ । ତେଣୁ ଏହି ଘଟଣା ନେଇ ରାଜ୍ୟର ସମସ୍ତ ଅଞ୍ଚଳରେ ତୀକ୍ଷ୍ଣ ଦୃଷ୍ଟି ରଖିବା ସହିତ ବେଆଇନ ମଦ ଭାଟି ଓ ବିକ୍ରି ସ୍ଥାନରେ ଚଢ଼ଉ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ଚିକିଟି ଘଟଣାରେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର ଚିକିତ୍ସା ସହାୟତା ଯୋଗାଇ ଦେବା ପାଇଁ ମଧ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଚିକିତ୍ସିତ ହେଉଥିବା ସମସ୍ତଙ୍କ ଅବସ୍ଥା ଭଲ ଅଛି ବୋଲି ଜଣାପଡ଼ିଛି । ଏହି ଘଟଣାରେ ବ୍ରହ୍ମପୁରର ଅବକାରୀ ସୁପରିଟେଣ୍ଡେଣ୍ଟଙ୍କୁ କାର୍ଯ୍ୟରୁ ଅପସାରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଯୋଗ୍ୟ, ଚିକିଟି ବେଆଇନ ମଦ କାରବାର ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟପକ୍ଷରେ ଅବକାରୀ ବିଭାଗ ପକ୍ଷରୁ ଗତକାଲି ସନ୍ଧ୍ୟା ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୭,୨୭୪ ଲିଟର ବେଆଇନ ମଦ ଜବତ କରାଯିବା ସହ ୭୨ ଜଣଙ୍କୁ ଗିରଫ କରାଯାଇଛି । ସେଥିମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାରେ ୩୮୫ ଲିଟର ମଦ ଜବତ ହୋଇଛି । ଆଗାମୀ ଦିନରେ ଏପରି ଚଢ଼ଉକୁ ଜୋରଦାର କରାଯିବା ସହ ବେଆଇନ ମଦ କାରବାରରେ ଲିପ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।