Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଲିସ ପଞ୍ଜାରୁ ଖସିଯିବା ପାଇଁ ପ୍ରୟାସ କାଳ ହେଲା ବାରହା ଫାସ ଲାଗି ନାବାଳକର ଜୀବନ ଗଲା ବାରହା ଫାସ ବିଛାଇବା ଅଭିଯୋଗରେ ଚାରି ଗିରଫ

ଝାରସୁଗୁଡା ୨୨/୮ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ସୀମାନ୍ତ ୧୯ ଖଣ୍ଡ ମୌଜା ଅଞ୍ଚଳରେ ଛତିଶଗଡ଼ ପୁଲିସ ପଞ୍ଜାରୁ ଖସିଯିବା ପାଇଁ ଚେଷ୍ଟା କରୁଥିବା ବେଳେ ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ଫାସରେ ଲାଗି ଜଣେ ୧୭ ବର୍ଷର ନାବାଳକ ମୃତ୍ୟୁ ବରଣ କରିଛନ୍ତି । ମୃତ ନାବାଳକ ଜଣକ ହେଉଛନ୍ତି ପଡ଼ୋଶୀ ରାଜ୍ୟ ଛତିଶଗଡ ରାୟଗଡ଼ ଜିଲ୍ଲା ପୁସୋର ଥାନା ଅଞ୍ଚଳର ବୋଲି ପ୍ରଥମ ତଦନ୍ତରୁ ଜଣା ପଡ଼ିଥିବା ରେଙ୍ଗାଲି ଥାନା ଅଧିକାରୀ ଅଭିମନ୍ୟୁ ଦୁର୍ଗା ପ୍ରକାଶ କରିଛନ୍ତି ।
ପୁଲିସର ସୂଚନା ଅନୁସାରେ ପଡ଼ୋଶୀ ଛତିଶଗଡ଼ ରାୟଗଡ଼ ଜିଲ୍ଲା ପୁସୋର ଥାନା ଅଞ୍ଚଳରେ ଗତ ୧୯ ତାରିଖ ଦିନ ଏକ ଗଣ ବଳାତ୍କାର ଘଟଣା ଘଟିଥିଲା । ଉକ୍ତ ଘଟଣାରେ ସଂଶ୍ଳିଷ୍ଟ ଥିବା ୬ ଅଭିଯୁକ୍ତଙ୍କୁ ଛତିଶଗଡ଼ ପୁଲିସ ଗିରଫ କରିଥିବା ବେଳେ ଅନ୍ୟ ଜଣେ ନାବାକକ ଫେରାର ଥିଲା । କିନ୍ତୁ ଫେରାର ଥିବା ଅଭିଯୁକ୍ତ ନାବାଳକ ଜଣକ ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା କଣ୍ଡେଇକେଲା ଫାଣ୍ଡି ଅନ୍ତର୍ଗତ ସରେଇପାଲି ଗାଁ ରେ ଥିବା ଜଣେ ସମ୍ପର୍କୀୟ ଘରେ ଆତ୍ମଗୋପନ କରିଥିଲେ । ଏ ସମ୍ପର୍କରେ ଛତିଶଗଡ଼ ପୁଲିସ କୌଣସି ସୂତ୍ରରୁ ଖବର ପାଇ ବୁଧବାର ବିଳମ୍ବିତ ରାତି ସ୍ୱରେଇପାଲି ସମ୍ପର୍କୀୟଙ୍କ ଘରକୁ ଆସି ନାବାଳକ ସମ୍ପର୍କରେ ପଚରା ଉଚୁରା କରୁଥିବା ବେଳେ ଅଭିଯୁକ୍ତ ନାବାଳକ ଜଣକ ଘର ପଛପଟ ବାଟଦେଇ ଦୌଡ଼ି ଖସି ଯିବାକୁ ଚେଷ୍ଟା କରୁଥିଲା । ମାତ୍ର କିଛି ଦୂର ଯିବା ପରେ ସେହି ଗ୍ରାମର ମଦନ ଗଣ୍ଡଙ୍କ ବାଡ଼ିପଟେ ଥିବା ଚାଣ୍ଟିପାଲି ଗାଁର ଦାମୋଦର ସାଙ୍କ ଚାଷଜମିର ଚାରିପଟେ କେହି ଦୁର୍ବୁତ୍ତ ଜଙ୍ଗଲୀ ବାରହା ଶିକାର ପାଇଁ ବିଛାଇ ଥିବା ବିଦ୍ୟୁତ ଫାସ ନାବାଳକ ଗୋଡ଼ରେ ଛନ୍ଦି ହୋଇ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ପୁଲିସ ପକ୍ଷରୁ କୁହାଯାଇଛି । ସେହି ନାବାଳକକୁ ଖୋଜିବା ପାଇଁ ପଛେ ପଛେ ଗୋଡାଉ ଥିବା ତାଙ୍କ ସମ୍ପର୍କୀୟ ମଧ୍ୟ ମୃତ୍ୟୁ ମୁଖରୁ ଅଳ୍ପକେ ରକ୍ଷା ପାଇ ଯାଇଥିବା ସେମାନେ ପ୍ରକାଶ କରିଛନ୍ତି ।
ଖବର ପାଇ ଘଟଣା ସ୍ଥଳକୁ ବ୍ରଜରାଜନଗର ଏସଡିପିଓ ଚିନ୍ତାମଣି ପଧାନ, ରେଙ୍ଗାଲି ଥାନା ଅଧିକାରୀ ଅଭିମନ୍ୟୁ ଦୁର୍ଗା,ଏସଆଇ ଆଶୁତୋଷ ମହାନ୍ତି, କନକତୋରା ବିଟ ହାଉସ ଅଧିକାରୀ ରମେଶ କୁମାର ଭଇଁସାଲ, ଏଏସଆଇ ନରୋତ୍ତମ ସା ତଥା ଜିଲ୍ଲା ସାଇଣ୍ଟିଫିକ ଟିମ ଆସି ବିଭିନ୍ନ ଦିଗରେ ତଦନ୍ତ କରି ପଞ୍ଚନାମା ପରେ ଶବ ସହ ବାରହା ଶିକାର ପାଇଁ ବିଛା ଯାଇଥିବା ଜେଇ ତାର ସହ ଅନ୍ୟାନ୍ୟ ସରଞ୍ଜାମ ଆଦି ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଝାରସୁଗୁଡା ପଠା ଯାଇଥିବା ରେଙ୍ଗାଲି ଥାନା ଅଧିକାରୀ ଶ୍ରୀ ଦୁର୍ଗା ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବାରହା ଶିକାର ପାଇଁ ବିଦ୍ୟୁତ ଫାସ ବିଛାଇ ଥିବା ସନ୍ଦେହରେ ଜଣକୁ ଥାନାକୁ ଆଣି ପଚରା ଉଚୁରା ବେଳେ ତାଙ୍କ ସହ ଆଉ ତିନି ଜଣ ସମ୍ପୃକ୍ତ ରହିଥିବା ଜଣା ପଡିବା ପରେ ସେମାନଙ୍କୁ ମଧ୍ୟ ଗିରଫ କରା ଯାଇଛି । ଅଭିଯୁକ୍ତ ମାନେ ହେଲେ ସରେଇପାଲି ଗ୍ରାମର ନିମାଇଁ ଚରଣ ଭୋଇ (୪୪), ଚନ୍ଦ୍ର ଶେଖର କାଲୋ (୪୬),ଗଙ୍ଗାରାମ ଗଣ୍ଡ ଏବଂ କୃଷ୍ଣ ନେଗୀ । ମୃତକ ନାବାଳକ ଙ୍କ ସମ୍ପର୍କୀୟ ଙ୍କ ଲିଖିତ ଅଭିଯୋଗ ଅନୁସାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି ଏବଂ ଅଭିଯୁକ୍ତ ମାନଙ୍କୁ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ଶ୍ରୀ ଦୁର୍ଗା କହିଛନ୍ତି ।
ସୂଚନା ଥାଉକି ଏହା ପୂର୍ବରୁ ମଧ୍ୟ ୧୯ ଖଣ୍ଡ ମୌଜା ଅଞ୍ଚଳରେ ବିଦ୍ୟୁତ ସଂଯୋଗ କରି ଜଙ୍ଗଲୀ ବାରହା ଶିକାର ପାଇଁ ବିଛା ଯାଇଥିବା ଫାସ ସଂସ୍ପର୍ଶରେ ଆସି ଅନେକ ନିରୀହ ଲୋକଙ୍କ ଜୀବନ ଚାଲି ଯାଇଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ ଏହାର ପ୍ରତିକାର ପାଇଁ କୌଣସି ପଦକ୍ଷେପ ଗ୍ରହଣ କରା ଯାଉନାହିଁ କି ଗାଁ ମାନଙ୍କରେ ଥିବା ବନ ସୁରକ୍ଷା ସମିତି ମାଧ୍ୟମରେ ଅଞ୍ଚଳର ଜନ ସାଧାରଣଙ୍କୁ ସଚେତନତା ମଧ୍ୟ କରା ଯାଉ ନ ଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏ ସମ୍ପର୍କରେ ଗାଁ ଗାଁ ରେ ଜନ ସଚେତନତା ସଭା କରିବା ପାଇଁ ବ୍ରଜରାଜନଗର ଏସଡିପିଓ ଚିନ୍ତାମଣି ପଧାନ ବନ ବିଭାଗକୁ ପରାମର୍ଶ ଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ