ପୁରୀ: ଆଜି ପୁଣି ଥରେ ଖୋଲା ଯାଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାର । ସେଥିରେ ଥିବା ଖାଲି ଆଲମିରା ଓ ସିନ୍ଦୁକକୁ ସ୍ଥାନାନ୍ତର କରାଯାଉଛି । ରତ୍ନଭଣ୍ଡାରରେ ଥିବା ଖାଲି ସିନ୍ଦୁକ ଓ ଆଲମିରାଗୁଡ଼ିକୁ ନୀଳାଦ୍ରି ମ୍ୟୁଜିୟମ ନିକଟ ରୁମକୁ ସ୍ଥାନାନ୍ତର କରାଯାଉଛି ।
ଏଥିପାଇଁ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଟେକନିକାଲ୍ ଟିମ୍ ଶ୍ରୀମନ୍ଦିର ଭିତରେ ଅଛନ୍ତି । ଓଡ୍ରାଫ୍, ଅଗ୍ନିଶମ ଏବଂ ସ୍ନେକ୍ ହେଲପ୍ ଲାଇନ୍ ସଦସ୍ୟ ବି ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି । ଲାଇଟ୍, କଟର, ଜେନେରେଟର୍, ଫାୟାର୍ ମାସ୍କ, ମେଟାଲ୍ ଡିଟେକ୍ଟର ସବୁ ଭିତରକୁ ଯାଇଛି ।
ସ୍ଥାନାନ୍ତର ସରିବା ଯାଏଁ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ତେବେ ଆନନ୍ଦ ବଜାରରୁ ଭକ୍ତମାନେ ମହାପ୍ରସାଦ କିଣି ପାରିବେ । ସ୍ଥାନାନ୍ତରଣ ସରିବା ପରେ ଦର୍ଶନ ଆରମ୍ଭ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ।
ସୂଚନା ଅନୁସାରେ, ଶ୍ରୀମନ୍ଦିର ଭିତର ଓ ବାହାର ରତ୍ନଭଣ୍ଡାରରେ ୩ଟି କାଠ ଆଲମିରା, ଗୋଟିଏ ଷ୍ଟିଲ ଆଲମିରା, ୨ଟି କାଠ ସିନ୍ଦୁକ ଓ ଗୋଟିଏ ଲୁହା ସିନ୍ଦୁକ ରହିଛି । ଏଥିରେ ଥିବା ସମସ୍ତ ଅଳଙ୍କାର ଖଟ ସେଜଘର ଓ ଚାଙ୍ଗଡା ଘର ନିକଟ ଷ୍ଟ୍ରଙ୍ଗରୁମରେ ରଖାଯାଇଛି ।
ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ତଦାରଖ କମିଟି ଅଧ୍ୟକ୍ଷ ବିଶ୍ୱନାଥ ରଥ କହିଛନ୍ତି, ଏସଓପି ଅନୁସାରେ ସବୁ କାର୍ଯ୍ୟ କରାଯିବ । ରତ୍ନଭଣ୍ଡାରରେ ଥିବା ଖାଲି ସିନ୍ଦୁକ ଓ ଆଲମିରା ନୀଳାଦ୍ରି ମ୍ୟୁଜିୟମ ନିକଟ ରୁମକୁ ସ୍ଥାନାନ୍ତର ହେବ । ତାକୁ ଯତ୍ନ ସହକାରେ ରଖାଯିବ ।
ସୂଚନାଯୋଗ୍ୟ, ଜୁଲାଇ ୧୪ ଓ ୧୮ ତାରିଖ ଯଥାକ୍ରମେ ବାହାର ଓ ଭିତର ରତ୍ନଭଣ୍ଡାରରୁ ମୂଲ୍ୟବାନ ଅଳଙ୍କାର ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତରଣ କରାଯାଇଥିଲା । ରତ୍ନଭଣ୍ଡାର ସ୍ଥାନାନ୍ତର ପରେ ବାହାର ଓ ଭିତର ରତ୍ନଭଣ୍ଡାର ଯାଞ୍ଚ କରିଥିଲେ ବିଶେଷଜ୍ଞ ଟିମ୍ । ଏହା ପରେ ଏଏସ୍ଆଇ ଟିମ୍ ମରାମତି କାମ କରିବ । ମରାମତି କାମ ସରିବା ପରେ ଏଏସ୍ଆଇ ରତ୍ନଭଣ୍ଡାକୁ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବ । ତା’ପରେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସବୁ ବାହାର ଓ ଭିତର ରତ୍ନଭଣ୍ଡରକୁ ସ୍ଥାନାନ୍ତର ହେବ । ପରେ ସେଠାରେ ଗଣତି ଓ ମଣତି କରାଯିବ ବୋଲି ଜଣାପଡ଼ିଛି ।