ବିଧାନସଭାରେ ହଙ୍ଗାମା; ବାଚସ୍ପତିଙ୍କ ମାଇକ ଭାଙ୍ଗିବାକୁ ବିଜେଡି ବିଧାୟକଙ୍କ ଉଦ୍ୟମ


ଭୁବନେଶ୍ବର: ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଧାନସଭାରେ ହଙ୍ଗାମା । ବାଚସ୍ପତି ସୁରମା ପାଢୀଙ୍କ ଆଗରେ ବିଜେଡି ବିଧାୟକ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିବା ସହ ଜଣେ ମହିଳା ବାଚସ୍ପତିଙ୍କ ପୋଡିୟମ୍ ଦଖଲ କରିବାକୁ ଦଳର ବିଧାୟକମାନେ ଉଦ୍ୟମ କରିଛନ୍ତି ।
ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେଡି ସଦସ୍ୟ ଗୃହ ମଧ୍ୟଭାଗକୁ ଆସି ପ୍ରବଳ ହଟ୍ଟଗୋଳ ଓ ହୋହଲ୍ଲା କରିଥିଲେ । ବିଜେଡିର ୨ ବିଧାୟକ ବାଚସ୍ପତିଙ୍କ ପୋଡ଼ିୟମ ଉପରେ ଚଢ଼ିବାକୁ ଉଦ୍ୟମ କରିଥିଲେ । ଏଥିସହ ସେମାନେ ବାଚସ୍ପତିଙ୍କ ମାଇକ୍‌ ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ଏହାକୁ ରୋକିବାକୁ ଯାଇ ବିଧାନସଭାରେ ଉପସ୍ଥିତ ମାର୍ଶଲଙ୍କ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଛି ।
ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ସୋର ବିଧାୟକ ମାଧବ ଧଡ଼ା ଓ ଦେବଗଡ଼ ବିଧାୟକ ରୋମାଞ୍ଚ ବିଶ୍ୱାଳ ପୋଡିୟମ୍ ଚଢ଼ିବାକୁ ଉଦ୍ୟମ କରିଥିଲେ । ଏଥିସହ ବାଚସ୍ପତିଙ୍କ ସିଟ୍ ପାଖକୁ ଯିବାକୁ ମଧ୍ୟ ସେମାନେ ଉଦ୍ୟମ କରିଥିଲେ । ସେହିଭଳି ଆଉ କିଛି ବିଜେଡି ବିଧାୟକ ସିଢି ବାଟ ଦେଇ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଚେଷ୍ଟା କରିଥିଲେ । ତେବେ ସେଠାରେ ଉପସ୍ଥିତ ମାର୍ଶଲ ସେମାନଙ୍କୁ ଅଟକାଇଥିଲେ ।
ବିଜେଡି ବିଧାୟକ ମାଧବ ଧଡ଼ା କହିଛନ୍ତି, ଗଣତାନ୍ତ୍ରିକ ଉପାୟରେ ଆମେ ଗୃହକୁ ବନ୍ଦ କରିବାକୁ ଚାହିଁଥିଲୁ । କିନ୍ତୁ ବାଚସ୍ପତି ଗୃହକୁ ବନ୍ଦ କଲେ ନାହିଁ । ତେଣୁ ଆମେ ଯାହା କରିଛୁ ଗଣତାନ୍ତ୍ରିକ ଭାବେ କରିଛୁ, ସୀମା ବାହାରକୁ ଯାଇ କିଛି କରିନୁ । କାରଣ ଆମ ଦଳ ସବୁବେଳେ ମାଆକୁ ସମ୍ମାନ ଦେଇ ଆସୁଛି ।
ଜବାବରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟ କହିଛନ୍ତି, ବିରୋଧୀ ମହିଳା ବାଚସ୍ପତିଙ୍କୁ ସମ୍ମାନ ଦେବା ଶିଖିନାହାନ୍ତି । ପୋଡ଼ିୟମ ଉପରକୁ ଉଠି ବିରୋଧୀ ଦଳର ବିଧାୟକମାନେ ଯେଉଁପରି ଭାବେ ଆଚରଣ ପ୍ରଦର୍ଶନ କଲେ ତାହା ଖୁବ୍‌ ନିନ୍ଦନୀୟ । ସତ୍ୟର ସାମ୍ନା କରିବାକୁ ବିରୋଧୀ ଡରୁଛନ୍ତି ବୋଲି ସେ କହିଛନ୍ତି । ୨୪ ବର୍ଷ ଧରି ସେମାନେ ଦୁର୍ନୀତିରେ ଉବୁଟୁବୁ ହେଉଥିଲେ । ଏବେ ପର୍ଦ୍ଦାଫାସ ହେବା ବେଳକୁ ଆଲୋଚନାକୁ ଡରି ଗୃହରେ ହୋହଲ୍ଲା କରୁଛନ୍ତି । ବିରୋଧୀଙ୍କ ଏପରି ଆଚରଣ ଗଣତନ୍ତ୍ରରେ ଆଦୌ ଶୋଭନୀୟ ନୁହେଁ ।
କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ସବୁ ଜିଲ୍ଲାରେ ମଦ ବନ୍ୟା ଚାଲିଛି । ଚିକିଟି ମଦ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ସରକାରଙ୍କ ନିଦ ତୁରନ୍ତ ନ ଭାଙ୍ଗିଲେ ଆଗାମୀ ଦିନରେ ପରିସ୍ଥିତି ଭୟାବହ ହେବ । ତେଣୁ ମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା କଥା ।