ଟ୍ୟୁସନରୁ ଫେରୁଥିବା ନାବାଳିକାକୁ ଉଠାଇ ନେଇ ଗଣଦୁଷ୍କର୍ମ


ଆସାମ: କୋଲକାତା ପରେ ଆସାମରେ ଗଣଦୁଷ୍କର୍ମ । କୋଲକତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ଚାଲିଥିବା ଅସନ୍ତୋଷ ମଧ୍ୟରେ ପୁଣି ଏକ ବର୍ବରତା । ଆସାମର ଜଣେ ୧୪ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ହୋଇଛି ଅଭିଯୋଗ । ଟ୍ୟୁସନରୁ ଫେରିବା ବାଟରେ ତିନି ଜଣ ଦୁର୍ବୃତ୍ତ ତାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ଖବର ଅନୁସାରେ, ଗତକାଲି ସନ୍ଧ୍ୟାରେ ନାବାଳିକା ଜଣକ ଟ୍ୟୁସନରୁ ଫେରିବା ବାଟରେ ଘଟଣା ଘଟିଛି । ଆଜି ସ୍ଥାନୀୟ ଲୋକେ ନାବାଳିକା ଜଣଙ୍କୁ ଚେତାଶୂନ୍ୟ ଅବସ୍ଥାରେ ରାସ୍ତା କଡରେ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି ।
ଘଟଣାରେ ସମ୍ପୃକ୍ତ ସନ୍ଦେହରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚରା କରିବା ସହ ଅଧିକ ତଦନ୍ତ କରୁଛି । ସେପଟେ ଘଟଣାସ୍ଥଳରେ କିଛି ଲୋକ ବିରୋଧ ପ୍ରଦର୍ଶନ କରିଛନ୍ତି । କିଛି ଛାତ୍ର ସଂଗଠନ ମଧ୍ୟ ଆଜି ରାଜ୍ୟରେ ବନ୍ଦ ଡାକରା ଦେଇଛନ୍ତି ।
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଘଟଣାକୁ ଦୃଢ ନିନ୍ଦା କରିବା ସହ କହିଛନ୍ତି, ‘ଅପରାଧୀଙ୍କୁ ଆଦୌ ଛଡ଼ାଯିବ ନାହିଁ । ଆନ୍ଦୋଳନକାରୀଙ୍କୁ ନିଶ୍ଚୟ ନ୍ୟାୟ ଦେବୁ । ମୁଁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଘଟଣାସ୍ଥଳକୁ ଯିବା ସହ ଅପରାଧୀଙ୍କ ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛି ।’