ଭୁବନେଶ୍ବର: ସିମବକ୍ସ ମାମଲାରେ ଅଭିଯୁକ୍ତ ରାଜୁ ମଣ୍ଡଳକୁ ପୁଣି ରିମାଣ୍ଡରେ ନେଇଛି କମିଶନରେଟ ପୋଲିସ । ଦୁଇ ଦିନିଆ ରିମାଣ୍ଡ ଅନୁମତି ମିଳିବା ପରେ ଜେଲରୁ ରାଜୁ ମଣ୍ଡଳକୁ ନିଜ ହେପାଜତକୁ ନେଇଛି ପୋଲିସ । ଜେଲରୁ ଆଣିବା ପରେ ତାକୁ ଲକ୍ଷ୍ମୀସାଗର ଥାନାରେ ପଚରାଉଚରା କରାଯାଇଛି ।
ପୂର୍ବରୁ NIA ଅଧିକାରୀ ରାଜୁ ମଣ୍ଡଳକୁ ପଚାରାଉଚରା ଉଚରା କରିଥିଲେ । ଏବେ ପୁଣି ଥରେ NIA ରାଜୁକୁ ଜେରା କରିପାରେ । ସିମବକ୍ସ ମାମଲାରେ ଦ୍ୱିତୀୟ ଥର ପାଇଁ ରାଜୁକୁ ରିମାଣ୍ଡରେ ଆଣିଛି ପୋଲିସ। ୭ ଦିନ ପାଇଁ ରିମାଣ୍ଡରେ ନେବାକୁ ଲକ୍ଷ୍ମୀସାଗର ଥାନା ପୋଲିସ କୋର୍ଟରେ ଆବେଦନ କରିଥିବାବେଳେ ୨ ଦିନିଆ ରିମାଣ୍ଡ ପାଇଁ ଅନୁମତି ମିଳିଛି ।
ରିମାଣ୍ଡ ଅବଧି ବେଳେ ମୁଖ୍ୟ ଅଭିଯୁକ୍ତ ଆସାଦୁର ଜମାନ ବାବଦରେ ଅଧିକ ପଚରାଉଚରା ହେବ। ବାଂଲାଦେଶର ଢାକାରେ ରହି ଆସାଦୁର କିଭଳି ଭୁବନେଶ୍ୱର, କଟକ ଓ ରାଞ୍ଚିରେ ନିଜର ସିଣ୍ଡିକେଟ ଚଳାଇଥିଲା ତାହାର ଖୋଳତାଡ଼ ହେବ । କିଏ ତା’ ପାଇଁ ପଇସା ଖର୍ଚ୍ଚ କରୁଥିଲା ? ଆର୍ଥିକ କାରବାର ପଛରେ ଆଉ କାହାର ହାତ ଅଛି ? ସିମବକ୍ସ ଜରିଆରେ ପାକିସ୍ତାନ ଓ ଚୀନର କାହା ପାଖକୁ କଲ ଯାଉଥିଲା ? କ’ଣ ଏହି ସ୍ମାର୍ଟ ସୁଇଚ ? ସିମବକ୍ସରୁ ଯାଉଥିଲା କି ବିଦେଶରେ ରହୁଥିବା ଅଣ୍ଡରୱାର୍ଲଡ଼ ଡନଙ୍କୁ କଲ ? ଏ ସବୁ କଥା ଜାଣିବା ପାଇଁ ରାଜୁକୁ ଅଧିକ ପଚରାଉଚରା କରାଯିବ ।
ଗତକାଲି ଅସାଦୁରର ଫଟୋ ଜାରି କରିଥିଲା କମିଶନରେଟ ପୋଲିସ । ଢାକାରେ ଏକ ସଫ୍ଟୱେର କମ୍ପାନୀ ଚଳାଉଥିଲା ଆସାଦୁର । ଫ୍ୟାସନ ଟେକ୍ନୋଲୋଜି ଇନଷ୍ଟିଚ୍ୟୁଟରୁ ପାଠ ପଢ଼ିଥିଲା । ପୋଲିସ ହାତରେ ସିଡ଼ିଆର ରିପୋର୍ଟ ଲାଗିବା ପରେ ଆତଙ୍କବାଦୀ ଲିଙ୍କ ନେଇ ଅଧିକ ଖୋଲତାଡ଼ ଜାରି ରହିଛି ।