ଇଞ୍ଜେକ୍ସନ ପାର୍ଶ୍ବ ପ୍ରତିକ୍ରିୟା, ଢେଙ୍କାନାଳ ମେଡିକାଲରେ ୧୦ରୁ ଅଧିକ ଶିଶୁ ଅସୁସ୍ଥ


ଢେଙ୍କାନାଳ: ଢେଙ୍କାନାଳ ହସ୍ପିଟାଲର ଶିଶୁ ବିଭାଗ ୱ।ର୍ଡରେ ୧୦ରୁ ଅଧିକ ଶିଶୁ ଅସୁସ୍ଥ । ଇଞ୍ଜେକ୍ସନର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେବାରୁ ଶିଶୁମାନେ ଅସୁସ୍ଥ ହୋଇପଡ଼ିଛନ୍ତି । ପିଲାଙ୍କ ବୟସ ୧ରୁ ୫ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି । ଯାହାକୁ ନେଇ ଶିଶୁଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା । ଏପରିକି କିଛି ସମୟ ପାଇଁ ୱାର୍ଡ ପରିସର ଓ ଚିକିତ୍ସାଳୟରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ଗତକାଲି ହସ୍ପିଟାଲର ଶିଶୁ ବିଭାଗ ୱ।ର୍ଡରେ କିଛି ଶିଶୁଙ୍କ ଇଞ୍ଜେକ୍ସନ ଦିଆଯାଇଥିଲା । ଇଞ୍ଜେକସନ ନେବା ପରେ କିଛି ଶିଶୁଙ୍କ ପେଟ କାଟିବା ସହ କମ୍ପ ଜ୍ୱର ଆସିଥିଲା । ଏପରିକି ଛୁଆମାନଙ୍କ ଶରୀର ଥରିବା ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥିଲା ।

ଏକାଥରେ ଏପରି ସ୍ଥିତି ଉପୁଜିବା ଦେଖି ଭୟଭୀତ ହୋଇଥିବା ଅଭିଭାବକ ତୁରନ୍ତ ଡାକ୍ତରଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ଡାକ୍ତର ତୁରନ୍ତ ସମ୍ପୃକ୍ତ ଶିଶୁମାନଙ୍କ ଚିକିତ୍ସା ଆରମ୍ଭ କରିଥିଲେ । ଏବେ ସମସ୍ତ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି ।

ଏ ସଂକ୍ରାନ୍ତରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ସଂଗ୍ରାମ କେଶରୀ ଭୋଳ କହିଛନ୍ତି, ଏହା ଏକ ମାଇନର ରିଆକ୍ସନ । ଇଞ୍ଜେକ୍ସନ, ଡିଷ୍ଟିଲ ୱାଟର, ସାଲାଇନ୍ କେଉଁଥିରେ ସମସ୍ୟା ଅଛି, ସେ ସମ୍ପର୍କରେ ଅନୁଧ୍ୟାନ କରୁଛୁ । ବର୍ତ୍ତମାନ ଶିଶୁମାନେ ସୁସ୍ଥ ଅଛନ୍ତି ।