ଭୁବନେଶ୍ବର: ରାଜ୍ୟର ମହିଳାମାନଙ୍କ ଅପେକ୍ଷାର ଅନ୍ତ । ଆସିଲା ସୁଭଦ୍ରା ଯୋଜନା । ରାଜ୍ୟର ମହିଳାଙ୍କୁ ବର୍ଷକୁ ୧୦ ହଜାର ଟଙ୍କା ଲେଖାଏଁ ଟଙ୍କା ଯୋଗାଇ ଦେବେ ସରକାର । ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଓ ମହିଳା ଦିବସରେ ୨ଟି କିସ୍ତିରେ ଏହି ଟଙ୍କା ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ । ସେମାନେ ନିଜ ଇଚ୍ଛାରେ ଏହି ଟଙ୍କା ଖର୍ଚ୍ଚ କରିପାରିବେ । ଆର୍ଥିକ ସ୍ୱଚ୍ଛଳ ବର୍ଗର ମହିଳା, ସରକାରୀ ଚାକିରି କରୁଥିବା ମହିଳା ଓ ଆୟକର ପ୍ରଦାନ କରୁଥିବା ମହିଳାଙ୍କୁ ଏଥିରୁ ବାଦ ଦିଆଯାଇଛି । ସେହିପରି ୨୧ବର୍ଷରୁ ଅଧିକ ଓ ୬୦ବର୍ଷରୁ କମ୍ ସମସ୍ତ ଯୋଗ୍ୟ ମହିଳା ପାଇବେ ଏହି ଟଙ୍କା । ପ୍ରାୟ ଏକ କୋଟିରୁ ଅଧିକ ମହିଳା ବର୍ଷକୁ ୧୦ ହଜାର ଲେଖାଏଁ ଟଙ୍କା ଚଳିତ ଆର୍ଥିକବର୍ଷରୁ ପାଇବେ ।
ରାଜ୍ୟରେ କ୍ଷମତାସୀନ ବିଜେପି ସରକାରର ମହତ୍ୱାକାଂକ୍ଷୀ ଯୋଜନା ‘ସୁଭଦ୍ରା’ର ଗାଇଡଲାଇନକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଏହି ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ‘ସୁଭଦ୍ରା’ ଯୋଜନା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଅଗଷ୍ଟ ୨୨ ତାରିଖରେ ରାଜ୍ୟ କ୍ୟାବିନେଟ୍ ବୈଠକରେ ‘ସୁଭଦ୍ରା’ ଯୋଜନାକୁ ଚଳିତ ୨୦୨୪-୨୫ ଆର୍ଥିକବର୍ଷରୁ ୨୦୨୮-୨୯ ଆର୍ଥିକବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବା ନେଇ ନିଷ୍ପତ୍ତି ହୋଇଛି । ୨୦୨୮-୨୯ ମସିହା ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନା ପାଇଁ ମୋଟ ୫୫ ହଜାର ୮୨୫ କୋଟିର ବଜେଟ୍ ଧାର୍ଯ୍ୟ ହୋଇଛି । ଏହି ଯୋଜନାରେ ରାଜ୍ୟର ୧ କୋଟିରୁ ଅଧିକ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆସିବ ।
ଆଗକୁ ସେ କହିଛନ୍ତି, ଆର୍ଥିକ ସ୍ୱଚ୍ଛଳ ବର୍ଗର ମହିଳା, ସରକାରୀ ଚାକିରି କରୁଥିବା ମହିଳା ଓ ଆୟକର ପ୍ରଦାନ କରୁଥିବା ମହିଳମାନଙ୍କୁ ଏହି ଯୋଜନାରୁ ବାଦ୍ ଦିଆଯିବ । ସେହିପରି କୌଣସି ଯୋଜନାରେ ଯଦି କେହି ମହିଳା ମାସିକ ୧୫୦୦ଟଙ୍କା ଅବା ତା’ଠୁ ଅଧିକ ସହାୟତା ଅବା ବାର୍ଷିକ ୧୮ ହଜାର ଟଙ୍କାରୁ ଅଧିକ ସହାୟତା ରାଶି ପାଉଥିବେ ତା’ହେଲେ ସେମାନେ ସୁଭଦ୍ରା ଯୋଜନା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ ।
ପ୍ରତ୍ୟେକ ହିତାଧିକାରୀଙ୍କୁ ରାକ୍ଷୀ ପୂର୍ଣ୍ଣିମା ଓ ଆନ୍ତର୍ଜାତିକ ମହିଳା ଦିବସରେ ୫ ହଜାର ଟଙ୍କା ଲେଖାଏଁ କରି ବାର୍ଷିକ ୧୦ ହଜାର ଟଙ୍କା ପ୍ରଦାନ କରାଯିବ । ତେଣୁ ୫ ବର୍ଷରେ ଜଣେ ଯୋଗ୍ୟ ମହିଳା ହିତାଧିକାରୀ ମୋଟ ୫୦ ହଜାର ଟଙ୍କା ପାଇବେ । ସହାୟତା ପ୍ରଦାନରେ ସ୍ୱଚ୍ଛତା ଆଣିବା ପାଇଁ ଆଧାର ପେମେଂଟ ବ୍ରିଜ୍ ସିଷ୍ଟମ (ଏପିବିଏସ) ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କ ଡିବିଟି ବ୍ୟାଙ୍କ ଆକାଉଣ୍ଟାକୁ ସିଧାସଳଖ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ । ଏହାସହିତ ହିତାଧିକାରୀଙ୍କୁ ‘ସୁଭ୍ରଦା’ ଡେବିଟ୍ କାର୍ଡ ମଧ୍ୟ ପ୍ରଦାନ କରାଯିବ ।
ସେହିପରି ଡିଜିଟାଲ କାରାବାରକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟର ପ୍ରତ୍ୟେକ ପଂଚାୟତ ଓ ସହରାଂଚଳରେ ସର୍ବାଧିକ ପରିମାଣର ଡିଜିଟାଲ କାରବାର କରିଥିବା ୧୦୦ ଜଣ ହିତାଧିକାରୀଙ୍କୁ ଚିହ୍ନଟ କରି ଅତିରିକ୍ତ ୫୦୦ ଟଙ୍କା ପ୍ରୋତ୍ସାହନ ରାଶି ଦିଆଯିବ ।
ଏହି ଯୋଜନାରେ ସାମିଲ ହେବା ପାଇଁ ମହିଳମାନେ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର, ଜନସେବା କେନ୍ଦ୍ର ଆଦିରେ ମାଗଣାରେ ଉପଲବ୍ଧ ଫର୍ମ ପୂରଣ କରି ଆବେଦନ କରିପାରିବେ । ସୁଭଦ୍ରା ଯୋଜନା ପାଇଁ ଏକ କଲ୍ ସେଣ୍ଟର ମଧ୍ୟ କାର୍ଯ୍ୟକ୍ଷମ ହେବ ।
ଏହି ଯୋଜନାକୁ କାର୍ଯ୍ୟକାରୀ ଓ ତଦାରଖ କରିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ଏକ ‘ସୁଭଦ୍ରା ସୋସାଇଟି’ ଗଠନ କରାଯିବ । ସୁଭଦ୍ରା ଯୋଜନାର ଶୁଭାରମ୍ଭ ଯଥାଶୀଘ୍ର କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ସରକାରଙ୍କ ଦ୍ୱାରା ଜନସାଧାରଣଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ରାଜ୍ୟ କ୍ୟାବିନେଟର ଏହା ଦୂରଦୃଷ୍ଟି ସମ୍ପନ୍ନ ଓ ସୁଦୂରପ୍ରସାରୀ ନିଷ୍ପତ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ, ବିଜେପି ନିଜର ନିର୍ବାଚନୀ ଇସ୍ତାହାରରେ ରାଜ୍ୟରେ କ୍ଷମତାକୁ ଆସିଲେ ମହିଳାଙ୍କୁ ୨ ବର୍ଷରେ ୫୦ ହଜାର ଟଙ୍କା ଖର୍ଚ୍ଚ କରିବାର ଭାଉଚର ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା ।