ଯୁକ୍ତତିନି ନାମଲେଖା ଗାଇଡଲାଇନରେ ପରିବର୍ତ୍ତନ


ଭୁବନେଶ୍ବର: ପରିବର୍ତ୍ତନ ହେଲା ଯୁକ୍ତତିନି ନାମଲେଖା ଗାଇଡଲାଇନ । ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଲେ ବି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଛାତ୍ରଛାତ୍ରୀଙ୍କୁ ମିଳିବ ସୁଯୋଗ । ଅର୍ଥାତ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟାରେ ଭାଗ ନେଇପାରିବେ ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ।
ଆଜି ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଛାତ୍ରଛାତ୍ରୀଙ୍କ ହିତ ଦୃଷ୍ଟିରୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନିଆଯାଉଛି । ଏନେଇ ୱେବସାଇଟ୍ ଆଉ ଥରେ ଖୋଲାଯାଇଛି । ଆସନ୍ତାବର୍ଷଠୁ ଏହି ନିୟମ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ସେ କହିଛନ୍ତି ।
୨୦୨୪-୨୫ ଶିକ୍ଷାବର୍ଷରେ ଯୁକ୍ତତିନି ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା ଗତ ୧୨ ତାରିଖରୁ ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ଆସନ୍ତା ୨୬ ତାରିଖ ଯାଏଁ ଚାଲିବ ।
ପୂର୍ବରୁ ଜାରି ହୋଇଥିବା ଗାଇଡଲାଇନ୍ ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଚଏସ୍ ଲକିଂ କରିଥିବା ଛାତ୍ରଛାତ୍ରୀ ଦ୍ୱିତୀୟ ପର୍ଯ୍ୟାୟରେ ଆବେଦନ କରିପାରିବେ ନାହିଁ ବୋଲି ଉଲ୍ଲେଖ ରହିଥିଲା । ମାତ୍ର ଏହି ନିୟମରେ ଏବେ ପରିବର୍ତ୍ତନ କରାଯାଇଛି ।
ମନ୍ତ୍ରୀ କହିଛନ୍ତି, ଯେଉଁ ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟରେ ଚଏସ୍ ଲକିଂ କରି ସାରିଛନ୍ତି, ସେମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ସୁଯୋଗ ଗତକାଲିଠୁ ଦିଆଯାଇଛି । ଏଥିପାଇଁ ସରକାରଙ୍କ ୱେବସାଇଟ୍‌ ଖୋଲି ଦିଆଯାଇଛି । ଏହା ପିଲାଙ୍କ ଭବିଷ୍ୟତ ନିର୍ଦ୍ଧାରଣରେ ସହାୟକ ହେବ ।