ଏସସିବିରେ ଦୁଇ ମହିଳା ରୋଗୀଙ୍କୁ ଦୁଷ୍କର୍ମ ମାମଲା; ଅଭଯୁକ୍ତ ଡାକ୍ତର ବହିଷ୍କୃତ


କଟକ: ଏସସିବି ମେଡିକାଲରେ ୨ ମହିଳା ରୋଗୀଙ୍କୁ ଜଣେ ଡାକ୍ତର ଚିକିତ୍ସା ବାହାନାରେ ଦୁଷ୍କର୍ମ କରିଥିବା ଅଭିଯୋଗ ଘଟଣାରେ ବଡ଼ ଆକ୍ସନ । ଅଭିଯୁକ୍ତ ଡାକ୍ତର ଦିଲବାଗ ସିଂ ଠାକୁରଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ତାଙ୍କୁ ଏସସିବିରୁ ବହିଷ୍କୃତ କରାଯାଇଛି । ଏସସିବି ମେଡିକାଲ କଲେଜ କାଉନସିଲର ଜରୁରୀ ବୈଠକ ବସିବା ପରେ ଅଭିଯୁକ୍ତ ଡାକ୍ତରଙ୍କୁ ବହିଷ୍କୃତ କରାଯାଇଛି ।
ଡିଏମଇଟିଙ୍କ ନେତୃତ୍ୱରେ ତିନି ଜଣିଆ ତଦନ୍ତ କମିଟି ଏହି ଘଟଣାର ତଦନ୍ତ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଏସସିବି ଅଧ୍ୟକ୍ଷଙ୍କୁ ଚିଠି କରିଥିଲେ ଡିଏମଇଟି । ଗତକାଲି ମେଡିକାଲ କଲେଜ କାଉନସିଲର ଜରୁରୀ ବୈଠକ ବସିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଏସସିବି ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି ।
ଦୁଇ ମହିଳା ରୋଗୀ ଏସ୍‌ସିବିର ହୃଦରୋଗ ବିଭାଗକୁ ଯାଇଥିବା ବେଳେ ଡାକ୍ତର ଦିଲବାଗ ସିଂ ଠାକୁର ଇକୋ ବାହାନାରେ ଉଭୟଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ପୀଡ଼ିତଙ୍କ ସମ୍ପର୍କୀୟ ( ଏସ୍‌ସିବି ମେଡିକାଲ୍‌ରେ ଅଣ୍ଡର ଗ୍ରାଜୁଏଟ୍‌ ଡାକ୍ତରୀ ପାଠ ପଢ଼ୁଛନ୍ତି) ଏ ସମ୍ପର୍କରେ ଜାଣିପାରି ନିଜ ସାଙ୍ଗଙ୍କ ମାଧ୍ୟମରେ ସମ୍ପୃକ୍ତ ଡାକ୍ତରଙ୍କୁ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଏହାପରେ ଦୁଇ ପୀଡ଼ିତଙ୍କ ସମ୍ପର୍କୀୟ ଏନେଇ ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି କମିଶନରେଟ୍‌ ପୋଲିସ୍‌ ମାମଲା ରୁଜୁ କରି ଡାକ୍ତର ଠାକୁର ଦିଲବାଗ ସିଂଙ୍କୁ ଗିରଫ କରିଥିଲା ।