ବୀରମହାରାଜପୁର କଲେଜରେ ଜାତୀୟ ମହାକାଶ ଦିବସ ପାଳିତ


ବୀରମହାରାଜପୁର : (ସୌମିତ୍ରି ମେହେର) ଇଚ୍ଛାଶକ୍ତି ଥିଲେ ବାଟ ଆପେ ଆପେ ଆସିଥାଏ । ମହାକାଶର ରହସ୍ୟ ଜାଣିବାକୁ କିଏବା ନ ଚାହେଁ । ଭାରତର ଚନ୍ଦ୍ରୟାନ କାର୍ଯ୍ୟକ୍ରମ ସମଗ୍ର ବିଶ୍ବକୁ ପ୍ରେରଣା ଯୋଗାଉଛି । ଚନ୍ଦ୍ରୟାନ- ୧ ଓ ୨ ଆଂଶିକ ମାତ୍ରାରେ ସଫଳ ହୋଇଥିବା ବେଳେ ଚନ୍ଦ୍ରୟାନ- ୩ ସମ୍ପୂର୍ଣ୍ଣ ଭାବରେ ସଫଳ ହୋଇଛି। ଗତବର୍ଷ ଯେଉଁଦିନ ଚନ୍ଦ୍ରୟାନର ଚନ୍ଦ୍ରପୃଷ୍ଠରେ ଅବତରଣ ହୋଇଥିଲା, ସେହି ଦିନକୁ ଜାତୀୟ ମହାକାଶ ଦିବସ ଭାବରେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଆଗାମୀ ଦିନରେ ମହାକାଶରେ ନିଶ୍ଚୟ ଭାରତର ଆଧିପତ୍ୟ ବଜାୟ ରହିବ ବୋଲି ବୀରମହାରାଜପୁର ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ଜାତୀୟ ମହାକାଶ ଦିବସରେ ନିମନ୍ତ୍ରିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଶୁକ୍ରବାର ଏ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢ଼ୀ ଅଧ୍ୟକ୍ଷତା କରିଥିଲେ l ପରିଚାଳନା ସମିତିର ସଭାପତି ସ୍ବୟମ୍ଭୁନାଥ ଖଣ୍ଡଗିରୀ ମୁଖ୍ୟ ଅତିଥି ଏବଂ ସୋନପୁର ମହାବିଦ୍ୟାଳୟର ଅଧ୍ୟାପକ ସଙ୍ଗମ ପଶାୟତ ମୁଖ୍ୟବକ୍ତା ଭାବରେ ଯୋଗଦେଇ ବିଷୟ ଭିତ୍ତିକ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଦାର୍ଥ ବିଭାଗର ଅଧ୍ୟାପିକା ସୁପ୍ରଭା ନନ୍ଦ , ଅଧ୍ୟାପକ ସିଦ୍ଧେଶ୍ବର ତ୍ରିପାଠୀ , ଜୀବବିଜ୍ଞାନର ଅଧ୍ୟାପକ ସଞ୍ଜିତ କୁମାର ନାୟକ ପ୍ରମୁଖ ମଞ୍ଚାସୀନ ରହି ବକ୍ତବ୍ୟ ରଖିଥିଲେ। ସ୍ବାଗତିକା ରଥ ଓ ସୁପ୍ରିତା ମେଣ୍ଡିଲିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ସୁଶ୍ରୀ ରଥ ଅତିଥି ପରିଚୟ ଓ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଶେଷରେ କ୍ରୀଷ୍ଣା କର୍ମୀ ଧନ୍ୟବାଦ ଅର୍ପଣ କରିଥିଲେ।