ଶ୍ରୀମନ୍ଦିରରେ ଜନ୍ମ ନେଇଛନ୍ତି କଳା କହ୍ନେଇ, ଆଜି ନନ୍ଦୋତ୍ସବ


ପୁରୀ: ଗତକାଲି ମଧ୍ୟରାତ୍ରିରେ ଶ୍ରୀମନ୍ଦିରରେ କୃଷ୍ଣଙ୍କ ଜନ୍ମ ହୋଇସାରିଛି । ଆଜି ପାଳିତ ହେବ ନନ୍ଦୋତ୍ସବ ନୀତି । ସନ୍ଧ୍ୟା ଆଳତି ସରିବା ପରେ ମହାଜନ ସେବାୟତମାନେ ରାମକୃଷ୍ଣ ଓ ଦକ୍ଷିଣ ଘରୁ ମଦନମୋହନଙ୍କୁ ଜଗମୋହନ ଦୋଳିରେ ବିଜେ କରାଇବେ । ମଇଲମ ଓ ଅନ୍ୟାନ୍ୟ ନୀତି ସରିବା ପରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ନିକଟରେ ଷଠି ଓ ମାର୍କଣ୍ଡି ପୂଜା ହେବ ।

ମଙ୍ଗଳାର୍ପଣ ଓ ବନ୍ଦାପନା ନୀତି ପରେ ଭଣ୍ଡାର ଘରୁ ଦେବୀ ଦୁର୍ଗାଙ୍କୁ ପତିମହାପାତ୍ର ବିଜେ କରାଇବେ । ଦୋଳିରେ ବସିଥିବା ରାମକୃଷ୍ଣ ଓ ମଦନମୋହନଙ୍କୁ ଓହ୍ଲାଇ ଖଟ ଉପରେ ବିଜେ କରାଇବେ । ଭରତିଆ ମହାପାତ୍ର ନନ୍ଦରାଜା ରୂପରେ ଶ୍ରୀନହରକୁ ଯାଇ ଫେରିବା ପରେ ସ୍ନାନମଣ୍ଡପ ଉପରେ ବସିବେ । ଭରତିଆ ଗୌଡ଼ ପୁତ୍ର ଜନ୍ମ ହେବା ଖବର ନନ୍ଦରାଜାଙ୍କୁ ଦେବାର ପରମ୍ପରା ରହିଛି ।

ସୂଚନାଯୋଗ୍ୟ, ଗତକାଲି ରାତିରେ ବିଭିନ୍ନ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି । ଏଥିପାଇଁ ମନ୍ଦିର ଗୁଡ଼ିକରେ ସ୍ୱତନ୍ତ୍ର ନୀତି କରାଯାଇଥିଲା । ଦେଶର ସବୁ ମନ୍ଦିରରେ ରାତି ସାରା ଲାଗିଥିଲା ଭକ୍ତଙ୍କ ଭିଡ଼ । ଭଜନ କିର୍ତ୍ତନ ସାଙ୍ଗକୁ ମନ୍ଦିରଗୁଡ଼ିରେ ସୃଷ୍ଟି ହୋଇଥିଲା ଭକ୍ତିମୟ ପରିବେଶ । ମଥୁରା ଓ ବୃନ୍ଦାବନରେ କରାଯାଇଥିଲା ସ୍ୱତନ୍ତ୍ର ଆୟୋଜନ । ଲକ୍ଷାଧିକ ଭକ୍ତଙ୍କ ସମାଗମ ଭିତରେ ହୋଇଥିଲା ଶ୍ରୀକୃଷ୍ଣଙ୍କ ଜନ୍ମନୀତି ।