ରିଲ୍ସ କରିବା ହେଲା କାଳ, ଭାସିଗଲା ନାବାଳକ


ବାରିପଦା: ଆଜିକାଲି ସମସ୍ତଙ୍କୁ ଘାରିଛି ରିଲ୍ସ ନିଶା । ପିଲାଠୁ ବୟସ୍କ ରିଲ୍ସ ନିଶାରେ ଏମିତି ସମଗୁଲ ଯେ, ସ୍ଥାନ କାଳ ପାତ୍ର ଦେଖୁନାହାନ୍ତି । ଏମିତି ରିଲ୍ସ କରିବା ଚକ୍କରରେ ଜଣେ ନାବାଳକ ପାଣିର ପ୍ରଖର ସ୍ରୋତରେ ଭାସିଯାଇ ଜୀବନ ହାରିଛନ୍ତି । ଘଟଣା ଘଟିଛି ଚାନ୍ଦୁଆ ଥାନା ଅନ୍ତର୍ଗତ ମାରାଙ୍ଗତାଣ୍ଡି ପଞ୍ଚାୟତ ଝିନେଇ ଗାଁରେ । ମୃତକ ହେଲେ ମଣି ସିଂଙ୍କ ୧୪ ବର୍ଷୀୟ ପୁଅ ରିତୁରାଜ ସିଂ।

ଜନ୍ମାଷ୍ଟମୀ ପାଇଁ ସ୍କୁଲ ଛୁଟି ଥିବାରୁ ଗତକାଲି ସନ୍ଧ୍ୟା ସମୟରେ ସୁବର୍ଣ୍ଣରେଖା ମୁଖ୍ୟ କେନାଲର କେଉଟୁଣୀ ମାରୀଠାରେ ରିଲ୍ସ କରିବାକୁ ସାଙ୍ଗମାନଙ୍କ ସହ ଯାଇଥିଲେ ରିତୁରାଜ । ରିଲ୍ସ କରିବା ସମୟରେ ଗୋଡ଼ ଖସିଯିବାରୁ ପାଣିର ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ସେପଟେ ସାଙ୍ଗମାନେ ଭୟରେ ବଞ୍ଚାଇବାକୁ ମଧ୍ୟ ସାହସ କରି ପାରି ନଥିଲେ । ଘଟଣା ସମ୍ପର୍କରେ ନାବାଳକର ପରିବାର ଲୋକଙ୍କୁ ଖବର ଦେଇଥିଲେ ସାଙ୍ଗମାନେ ।

ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଜଳସେଚନ ବିଭାଗର ଅଧିକାରୀଙ୍କୁ ଅବଗତ ପରେ ପାଣି ବନ୍ଦ କରି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଦୀର୍ଘ ସମୟ ଖୋଜାଖୋଜି ପରେ ନାବାଳକର ମୃତଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ଚାନ୍ଦୁଆ ପୋଲିସ ପହଞ୍ଚି ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ସ୍ଥିତ ପଣ୍ଡିତ ରଘନାଥ ମୁର୍ମୁ ମେଡିକାଲକୁ ପଠାଇଥିଲା ।