ରାଜ୍ୟସଭା ନିର୍ବାଚନ: ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ ଜଗନ୍ନାଥ ପ୍ରଧାନ


ଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ । ୨୧ ତାରିଖରେ ସ୍ୱାଧୀନ ଭାବେ ନାମାଙ୍କନ ଭରିଥିଲେ ଜଗନ୍ନାଥ । ୧୦ ଜଣ ବିଜେପି ବିଧାୟକଙ୍କ ଉପସ୍ଥିତିରେ ସେ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ନାମାଙ୍କନ ଦାଖଲ କରିଥିଲେ ।
ସେହିଦନ ପୂର୍ବାହ୍ନରେ ବିଜେପି ପ୍ରାର୍ଥୀ ଭାବେ ମମତା ମହାନ୍ତ ମଧ୍ୟ ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ତାଙ୍କ ପ୍ରାର୍ଥିପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ବିଜୟ ସିଂହ ତୋମାରଙ୍କ ପରି ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ । ହେଲେ ଅପରାହ୍ନରେ ଜଗନ୍ନାଥ ପ୍ରଧାନ ପ୍ରାର୍ଥିପତ୍ର ଦାଖଲ କରିବା ପରେ ନାନା ଚର୍ଚ୍ଚା ଆଲୋଚନା ବଢ଼ିଥିଲା । ଆଜି ଜଗନ୍ନାଥ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିବାରୁ ମମତା ପୁଣି ରାଜ୍ୟସଭା ଯିବା ପାଇଁ ପଥ ପରିସ୍କାର ହୋଇଛି ।
ମମତା ହେଉଛନ୍ତି କୁଡ଼ୁମୀ ସଂପ୍ରଦାୟର ଜଣେ ଟାଣୁଆ ଓ ଶିକ୍ଷିତ ନେତ୍ରୀ । ମମତା ୨୦୨୦ ମସିହା ଏପ୍ରିଲ ୩ ତାରିଖରେ ବିଜେଡି ତରଫରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ସାଧାରଣ ନିର୍ବାଚନ ପରେ ପରେ ସେ ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିଲେ । ଇସ୍ତଫା ଦେବା ବେଳେ ବିଜେଡି ବିରୋଧରେ ଅସନ୍ତୋଷ ଝାଡିବା ସହ ସେ ବିଜେପିରେ ସାମିଲ୍‌ ହୋଇଥିଲେ ।
ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ବିଜେପି ନେତା ଜଗନ୍ନାଥ ପ୍ରଧାନ କହିଛନ୍ତି, ଦଳୀୟ ନେତୃତ୍ୱଙ୍କ ନିଷ୍ପତ୍ତି ଅନୁସାରେ ମୁଁ ପ୍ରାର୍ଥିପତ୍ର ଦାଖଲ କରିଥିଲି । ଦଳ ନିଷ୍ପତ୍ତି କ୍ରମେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛି । ପାର୍ଟିର ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଭାବେ ଦଳୀୟ ନିଷ୍ପତ୍ତି ପାଳନ କରିଛି । ଦଳର ଏହା ଆଭ୍ୟନ୍ତରୀଣ ଷ୍ଟ୍ରାଟେଜି ଥିଲା । ମୁଁ ଜଣେ ଦଳର ଶୃଙ୍ଖଳିତ କର୍ମୀ । ଦଳ ମୋ ଉପରେ ଭରସା କରି ବଡ଼ ଦାୟିତ୍ୱ ଦେଇଥିଲା । ମୁଁ ଦଳ ନିଷ୍ପତ୍ତି ଅନୁସାରେ କାର୍ଯ୍ୟ କରିଥିଲି ।