Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାରଝୁଲା ଗ୍ରାମରେ ଝାଡ଼ା ବାନ୍ତି ରୋଗରେ ପଡି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଖବର ପାଇ ଗାଁ ରେ ପହଁଞ୍ଚିଲେ ଡାକ୍ତରୀ ଟିମ୍

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ପଞ୍ଚାୟତ ଅନ୍ତର୍ଗତ ବାରଝୁଲା ଗ୍ରାମରେ ଝଡ଼ାବାନ୍ତି ବ୍ୟାପି ପ୍ରାୟ ୯ ଜଣ ଲୋକ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଥିଲା । ବିଭିନ୍ନ ଗଣମାଧ୍ୟମରେ ଏ ନେଇ ଖବର ପ୍ରକାଶ ପାଇବା ପରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟରୁ ଡ଼ାକ୍ତରୀ ଦଳ ଉକ୍ତ ଗ୍ରାମକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିବା ଜଣାଯାଇଛି। ବୁଧବାର ଆହୁରି ୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ସେମାନଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅପରପକ୍ଷରେ ଘରେ ରହି ଦୁଇ ଜଣ ଚିକିତ୍ସିତ ହେଉଥିବାବେଳେ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସୁସ୍ଥ ହୋଇ ଦୁଇ ଜଣ ଘରକୁ ଫେରିଥିବା ମଧ୍ୟ ସୂଚନା ମିଳିଛି। ସୋନପୁରରୁ ଆସିଥିବା ଡ଼ାକ୍ତରୀ ଦଳରେ ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁ , ସୁବ୍ରତ ପାଣିଗ୍ରାହୀ , ବୋଲାରି ଦାଶ , ନାରାୟଣ ରଥ ପ୍ରମୁଖ ସାମିଲ ଥିଲେ । ସେହିଭଳି ବୀରମହାରାଜପୁର ଡ଼ାକ୍ତରଖାନାରୁ ଯାଇଥିବା ଟିମରେ ଫାର୍ମାସିଷ୍ଟ ଗଦାଧର ସୁରୁଜାଲ , ସ୍ବାସ୍ଥ୍ୟ କର୍ମୀ ଗିରିଧାରୀ ସାହୁ, ଗାଁର ଆଶା କର୍ମୀ ସରୋଜିନୀ ବାଘ , ଅଙ୍ଗନୱାଡ଼ି କର୍ମୀ ପ୍ରଭାତୀ ଥପା ପ୍ରମୁଖ ସାମିଲ ଥିଲେ। ଡ଼ାକ୍ତରୀ ଦଳ ଲୋକମାନଙ୍କୁ ଦୂଷିତ ପାଣି ବ୍ୟବହାର ନ କରିବାକୁ ପରାମର୍ଶ ଦେବା ସହ ଗାଁରେ ଥିବା ବିଭିନ୍ନ କୂଅ , ନଳକୂଅ ଓ ଗାଁକୁ ଯୋଗାଣ ହେଉଥିବା ଜଳର ନମୁନା ପରୀକ୍ଷା ପାଇଁ ସଂଗ୍ରହ କରିଥିବା ଜଣାଯାଇଛି। ଆଶା ଓ ଅଙ୍ଗନୱାଡ଼ି କର୍ମୀ ଗାଁରେ ଘର ଘର ବୁଲି ଲୋକମାନଙ୍କୁ ଆବଶ୍ୟକ ସତର୍କତା ଅବଲମ୍ବନ ନେଇ ସଚେତନ କରିଥିବା ଜଣାପଡ଼ିଛି। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ନେଇ ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ