ଉଲୁଣ୍ଡାରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ; ଏଣିକି ରୋଗୀଙ୍କୁ ଉପଲବ୍ଧ ହେଲା ବିଶେଷଜ୍ଞ ସ୍ୱାସ୍ଥ୍ୟ ସେବା


ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡ଼ାକ୍ତର ସମୀର ଭୋଇ ଫିତା କାଟି ଏହି ସ୍ୱତନ୍ତ୍ର ସ୍ୱାସ୍ଥ୍ୟୁ ଶିବିର ର ଶୁଭାରମ୍ଭ କରିଥିଲେ । ସ୍ୱାସ୍ଥ୍ୟ ଶିବିରରେ ସାଧାରଣ ବର୍ହିବିଭାଗ ସହ ସ୍ତ୍ରୀ ଓ ପ୍ରସୂତି, ଶିଶୁରୋଗ , ଭେଷଜ ,  ନାଶା ଗଳା ଓ କର୍ଣ୍ଣ , ଦନ୍ତ , ଅଣ ସଂକ୍ରାମକ ରୋଗ , ଆୟୂଷ , କୁଷ୍ଠ ରୋଗ , ଯକ୍ଷ୍ମା ରୋଗ ଆଦି ପାଇଁ ସ୍ୱାସ୍ଥ୍ୟୁ ସେବା ପ୍ରଦାନ କରାଯାଇଥିଲା । ବିଶେଷ କରି ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟମିତ ଉପଲବ୍ଧ ନଥିବା ଭେଷଜ,  ନାଶା ଗଳା ଓ କର୍ଣ୍ଣ ଏବଂ ଦନ୍ତ ସମ୍ବନ୍ଧୀୟ ସ୍ୱାସ୍ଥ୍ୟସେବା ବିଶେଷଜ୍ଞ ଡ଼ାକ୍ତରଙ୍କ ଦ୍ୱାରା ସାଧାରଣ ଲୋକଙ୍କୁ ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଥିଲା। ଏହା ସହ ସମନ୍ୱିତ ସ୍ୱାସ୍ଥ୍ୟ ପରାମର୍ଶ ଏବଂ ଯୋଗ ସୂତ୍ର ଅନୁଷ୍ଠିତ ହୋଇଥିଲା । ଭେଷଜ ବିଶେଷଜ୍ଞ ଡ଼ାକ୍ତର ନରେନ୍ଦ୍ର କୁମାର ମେହେର , ଦନ୍ତ ବିଶେଷଜ୍ଞ ଡ଼ାକ୍ତର ଦେବେଶ ପଣ୍ଡା , ନାଶା ଗଳା ଓ କର୍ଣ୍ଣ ବିଶେଷଜ୍ଞ ଡ଼ାକ୍ତର ରଶ୍ମି ରଞ୍ଜନ ହୋତା , ଶିଶୁରୋଗ ବିଶେଷଜ୍ଞ ଡାକ୍ତର ସମୀର ଭୋଇ , ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡ଼ାକ୍ତର ମୀନାକ୍ଷୀ ମହାଲିକ , ଡ଼ାକ୍ତର ମୁକେଶ କୁମାର ମେହେର , ଡ଼ାକ୍ତର ଦେବାଶିଷ ବାଗ , ଆୟୁଷ ଡ଼ାକ୍ତର ବିଶ୍ୱନାଥ ମେହେର , ଆୟୁଷ ଡ଼ାକ୍ତର ଅରୁଣ କୁମାର ଦାଶ , ଯୋଗ ପ୍ରଶିକ୍ଷକ ଅମରେନ୍ଦ୍ର ଷଡ଼ଙ୍ଗୀ ପ୍ରମୂଖ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଥିଲେ I ଶିବିରରେ ମାଗଣା ରୋଗ ନିରୂପଣ ଓ ମାଗଣା ଔଷଧ ସେବା ମଧ୍ୟ ଉପଲବ୍ଧ କରାଯାଇଥିଲା । ଆଜି ଅନୁଷ୍ଠିତ ଆୟୁଷ୍ମାନ ଆରୋଗ୍ୟ ଶିବିରରେ ମୋଟ ୧୮୨ ଜଣ ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଇଥଲା ।  ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ଏବଂ ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ସୁଧାଂଶୁ ଶେଖର ସେଠୀଙ୍କ ଯୋଜନା ଓ ତତ୍ୱାବଧାନରେ ଶିବିରଟି ଆୟୋଜିତ ହୋଇଥିବା ବେଳେ ରାଜେନ୍ଦ୍ର ଦେହୁରୀ, ବଟକୃଷ୍ଣ ପଣ୍ଡା, ପରୀତୋଷ ହୋତା, ମିଲୁ ମେହେର ପ୍ରମୁଖ ଶିବିର ଆୟୋଜନରେ ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ ପ୍ରତ୍ୟେକ ମାସ ଶେଷ ଗୁରୁବାରରେ ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହେବ ।