ଓଡ଼ିଶା ମଦମୃତ୍ୟୁ ଘଟଣା: ଆଉ ଜଣେ ମୃତ, ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି


ଗଞ୍ଜାମ: ଓଡ଼ିଶା ମଦମୃତ୍ୟୁ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି । ଫଳରେ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି । ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତୃତୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଚିକିଟି ବ୍ଲକ ଜେନାପୁର ସାହିର ଲକ୍ଷ୍ମଣ ବେହେରା । ଏବେ ବି ୪ ଜଣ ଏମକେସିଜିରେ ଚିକିତ୍ସାଧୀନ ଅଛନ୍ତି ଏବଂ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି ।

ବିଷାକ୍ତ ମଦ ପିଇ ପୂର୍ବରୁ ଚିକିଟି ଜେନାପୁର ଗାଁର ଜୁର ବେହେରା ଏବଂ ଲୋକନାଥ ବେହେରାଙ୍କ ମୃତ୍ୟୁ ଘଟିଥିଲା । ଲକ୍ଷ୍ମଣଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିବା ବେଳେ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲା । ହେଲେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତୀ ନଆସିବା ସହ ଧୀରେ ଧୀରେ ବିଗିଡ଼ିବାକୁ ଲାଗିଥିଲା । ଡାକ୍ତରଙ୍କ ସତ ଚେଷ୍ଟା ପରେ ବି ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାଯାଇଛି ।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା ଚିକିଟିରେ ବିଷାକ୍ତ ମଦ ପିଇ ୨୧ରୁ ଅଧିକ ଅସୁସ୍ଥ ହୋଇ ପଡ଼ିଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି । ଅନ୍ୟମାନେ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି ।

ଏହି ଘଟଣାକୁ ନେଇ ସମଗ୍ର ରାଜ୍ୟରେ ତମ୍ବିତୋଫାନ ହୋଇଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ଘଟଣାର ଖୋଳତାଡ଼ ଆରମ୍ଭ ହୋଇଥିଲା । ଘଟଣାରେ ମଦ ମାଫିଆଙ୍କୁ ମିଶାଇ ସମୁଦାୟ ୭ ଜଣଙ୍କୁ ଗିରଫ କରାଯାଇ ସାରିଛି ।