Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏନ.ଏଚ ୪୯ ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଟ୍ରକ ଚାପାରେ ଜଣେ ମୃତ ଦୁଇ ଆହତ

ଝାରସୁଗୁଡା ୩୧/୮ (ଓଡ଼ିଶା ନ୍ୟୁଜ) ୪୯ ନଂ ଜାତୀୟ ରାଜପଥରେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ରାଜରାସ୍ତାରେ ଆଶ୍ରୟ ନେଇଥିବା ଗାଈକୁ ଧକ୍କା ମାରି ଜଣେ ବାଇକ ଚାଳକ ରାସ୍ତା ଉପରେ ଛିଟିକି ପଡ଼ିଥିଲେ ।ଏତିକି ବେଳେ ଦ୍ରୁତଗତିରେ ଆସୁଥିବା ଏକ ଅଜଣା ଟ୍ରକ ତାଙ୍କ ମୁଣ୍ଡରେ ଚଢ଼ି ଯିବାରୁ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି । ମୃତ ବାଇକ ଚାଳକ ଜଣକ ରେଙ୍ଗାଲି ଥାନା ଭିକମପାଲି ଗ୍ରାମର ଭକ୍ତ କଅଁରଙ୍କ ଏକମାତ୍ର ପୁଅ ପରମେଶ୍ବର (୧୯) ହୋଇଥିବା ବେଳେ ଆହତ ଦ୍ବୟ ସେହି ଗ୍ରାମର ଦୁଷ୍ଟି କଅଁରଙ୍କ ପୁଅ ଦେବାନନ୍ଦ (୨୦) ଓ ଯଦୁମଣି ସିଦାରଙ୍କ ପୁଅ
ବ୍ରଜେଶ ସିଦାର (୧୯) । ଦୁର୍ଘଟଣା ଘଟିବା ପରେ ଟ୍ରକଟି ଫେରାର ହୋଇ ଯାଇଥିଲା । ଖବର ପାଇ ତାଙ୍କ ପରିବାର ସହ ସ୍ଥାନୀୟ ଲୋକେ ଆସି କ୍ଷତି ପୂରଣ ସହ ଦୁର୍ଘଟଣା ଘଟାଇଥିବା ଟ୍ରକ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଶବ ରଖି ରାସ୍ତା ଅବରୋଧ କରିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ବହୁ ଗାଡ଼ି ଦିର୍ଘ ସମୟ ଧରି ଅଟକି ରହିଥିଲା ।
ସୂଚନା ଅନୁଯାୟୀ ରେଙ୍ଗାଲି ଥାନା ଅନ୍ତର୍ଗତ ଭିକମପାଲି ଗାଁର ପରମେଶ୍ୱର କଅଁର, ଦେବାନନ୍ଦ କଅଁର ଓ ବ୍ରଜେଶ ସିଦାର ସିଜି ୧୩-ଏୱାଇ-୨୫୬୩ ନମ୍ବର ବିଶିଷ୍ଟ ଏକ ବାଇକରେ ପଞ୍ଚଗାଁକୁ କୌଣସି କାମରେ ଯାଇ ସନ୍ଧ୍ୟା ପ୍ରାୟ ୮ ଟା ସମୟରେ ଘରକୁ ଫେରୁଥିଲେ । କିନ୍ତୁ ଟିଆରଏଲ କ୍ରୋସାକି ଲିଃ କାର୍ଯ୍ୟାଳୟ ର ଅନତି ଦୂରରେ ଜାତୀୟ ରାଜପଥ ଉପରେ ଶୋଇ ରହିଥିବା ଗାଈକୁ ଧକ୍କା ମାରିଥିଲେ । ଫଳରେ ବାଇକ ଚାଳକ ପରମେଶ୍ବର ରାସ୍ତା ଉପରେ ଛିଟିକି ପଡ଼ିଥିଲେ ଏବଂ ସେହି ସମୟରେ ବିପରିତ ଦିଗରୁ ଦ୍ରୁତଗତି ଆସୁଥିବା ଏକଅଜଣା ଭାରିଯାନ ତାଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ପରମେଶ୍ବରଙ୍କ ମୃତ୍ୟୁ ହୋଇଥିବା ବେଳେ ସାଙ୍ଗରେ ଥିବା ଅନ୍ୟ ଦୁଇଜଣ ସାଙ୍ଗ ସାମାନ୍ୟ ଆହତ ହୋଇଥିଲେ । କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକେ ମୃତକ ଙ୍କ ପରିବାର ସହ ରାସ୍ତା ଅବରୋଧ କରିଥିଲେ । ଖବର ପାଇ ରେଙ୍ଗାଲି ଥାନା ଅଧିକାରୀ ଅଭିମନ୍ୟୁ ଦୁର୍ଗା ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନ କାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ମାଜିଷ୍ଟ୍ରେଟ ଦାୟିତ୍ୱରେ ଲଖନପୁର ଅତିରିକ୍ତ ତହସିଲଦାର କୁଳମଣି ଦଳେଇଙ୍କ ସହ ବ୍ରଜରାଜନଗର ଏସଡିପିଓ ଚିନ୍ତାମଣି ପଧାନ, ଲଖନପୁର ଥାନାଧିକାରୀ ବିନୋଦ ରାଓ, ବେଳପାହାଡ଼ ଥାନାଧିକାରୀ କୃଷ୍ଣଚନ୍ଦ୍ର ମେହେର ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନ କାରୀଙ୍କ ସହ ଆଲୋଚନା କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା ।
ପ୍ରକାଶ ଥାଉକି ୪୯ ନଂ ଜାତୀୟ ରାଜପଥ ବୁଲା ଗାଈ ଗୋରୁଙ୍କ ଆଶ୍ରୟ ସ୍ଥଳୀ ପାଲଟିଛି । ଯାହା ଫଳରେ ରାସ୍ତାରେ ଯାତାୟାତ ବେଳେ ଅନେକ ଲୋକ ଦୁର୍ଘଟଣା ଶିକାର ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି । ତଥାପି ଏଥିପ୍ରତି ଏନଏଚଏଆଇ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜରାସ୍ତା ଉପରେ ଶୋଇ ରହିଥିବା ଗାଈଗୋରୁଙ୍କ ପ୍ରତି କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ସାଧାରଣରେ ଅଭିଯୋଗ ହେଉଛି । ଏହା ବ୍ୟତୀତ ଭାରିଯାନ ଡ୍ରାଇଭର ମାନଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ମଧ୍ୟ ପ୍ରାୟ ଦୈନନ୍ଦିନ ଦୁର୍ଘଟଣା ଘଟୁଛି । ଯାହା ଫଳରେ ଅନେକ ନିରୀହ ଲୋକଙ୍କ ଜୀବନ ଚାଲିଯାଇ ସେମାନଙ୍କ ହସଖୁସିର ପରିବାର ନିମିଷକ ମାତ୍ରେ ଉଜୁଡ଼ି ଛାରଖାର ହୋଇ ଯାଉଥିବା ବେଳେ ଆଉ କେତେକ ଗୁରୁତର ଆହତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ବେପରୁଆ ଗାଡ଼ି ଚାଳନା ପ୍ରତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଉଚିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ