ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ଖଣି ଉପନିର୍ଦ୍ଦେଶକ (ଡିଡିଏମ୍)ଙ୍କ ଅମାପ ସମ୍ପତ୍ତି ବାହାରିବା ପରେ ଗିରଫ କଲା ଭିଜିଲାନ୍ସ । ଗତକାଲି ଖଣି ଉପନିର୍ଦ୍ଦେଶକଙ୍କ ଘରୁ ପୁଳା ପୁଳା ଆୟ ବର୍ହିଭୂତ୍ ସମ୍ପତ୍ତି ବାହାରିଥିବା ବେଳେ ଆଜି ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ ଗିରଫ ହୋଇଛନ୍ତି ।
କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଆଜି ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ଉ ଜାରି ରହିଛି । ଭିଜିଲାନ୍ସ ୪ ଲକ୍ଷରୁ ଅଧିକ ଟଙ୍କା ଓ ଡିଡିଏମ୍ଙ୍କ ମୋବାଇଲ୍ ଫୋନ୍ ଜବତ କରିଛି ।
ଖଣି ଉପନିର୍ଦ୍ଦେଶକଙ୍କ ସମ୍ପତ୍ତି ତାଲିକା ଦେଖି ତାଜୁବ ହୋଇ ଯାଇଛନ୍ତି ଭିଜିଲାନ୍ସ ଅଧିକାରୀ । ତାଙ୍କର ୧ କୋଟି ୩୦ ଲକ୍ଷର ଏକ ଫ୍ଲାଟ ଥିବା ବେଳେ ୧୧ଟି ପ୍ଲଟ ରହିଛି । ଏଥିସହ ବାବୁଙ୍କର ୨ଟି ମାର୍କେଟ କମ୍ପ୍ଲେକ୍ସ, ଭୁବନେଶ୍ୱରରେ ଗୋଟିଏ ଡୁପ୍ଲେକ୍ସ କୋଠା ଥିବା ବେଳେ ୫୩ ଲକ୍ଷର ବ୍ୟାଙ୍କ ଜମା ଠାବ ହୋଇଛି । ଏହାବାଦ ତାଙ୍କ ଘରୁ ୯ ଲକ୍ଷ ୮୫ ହଜାର ଟଙ୍କା ଜବତ ହୋଇଛି ।
ଖଣି ଉପନିର୍ଦ୍ଦେଶକ ଧରଣୀଧର ବାଲିଆ ମାଫିଆ ଓ ପଥର ମାଫିଆଙ୍କୁ ଅନୁକମ୍ପା ଦେଖାଇ ତାଙ୍କ ନିକଟରୁ ମୋଟା ଅଙ୍କର ଟଙ୍କା ନେଉଥିବା ଅଭିଯୋଗ ହୋଇଥିଲା । ଚଢ଼ାଉରେ ୧୦ ଜଣ ଭିଜିଲାନ୍ସ ଡିଏସପି, ୧୬ ଇନସପେକ୍ଟର, ୭ଜଣ ଏଏସଆଇ ରେଡରେ ସାମିଲ ହୋଇଛନ୍ତି । ଗତକାଲି ଭୋରରୁ ଧରଣୀଧରଙ୍କ ତାଳଚେର ଅଫିସ, ସରକାରୀ ବାସଭବନ, ତେଲକୋଇ ଥାନା ଛାମୁଣ୍ଡା ଗାଁରେ ଥିବା ପୈତୃକ ଘର, ଭୁବନେଶ୍ୱର ପଟିଆରେ ଥିବା ଘର, ସିଂକୁଳବାହାଲରେ ଥିବା ମାର୍କେଟ କଂପ୍ଲେକ୍ସ ଓ କେନ୍ଦୁଝର ପଣ୍ଡାପଡ଼ା ଥାନା ପୁରମୁଣ୍ଡାରେ ଥିବା ଶ୍ୱଶୁର ଘର ସମେତ ୮ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା । ଅନୁଗୁଳ ଓ କଟକ ଭିଜିଲାନ୍ସ ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି ।