୧୫ ଦିନ ନାକେଦମ କରିବା ପରେ ଧରା ପଡ଼ିଲା ଭାଲୁ


ନବରଙ୍ଗପୁର: ୧୫ ଦିନ ହେବ ଲୋକଭ୍କ ନିଦ ହଜାଇଥିଲା ଭାଲୁ । କେବଳ ଲୋକେ ନୁହଁନ୍ତି, ବନ ବିଭାଗ ବି ଭାଲୁ ପାଇଁ ନାକେଦମ ହୋଇଛନ୍ତି । ଶେଷରେ ଆତଙ୍କ ଖେଳାଇଥିବା ଭାଲୁ ଜନ୍ତାରେ ପଡିଛି । ଘଟଣା ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବନାଞ୍ଚଳର ।

ଗତ ୧୫ ଦିନ ହେବ ଚନ୍ଦ୍ରପୁର ଗାଁରେ ଭାଲୁଟି ଏଣେ ତେଣେ ବୁଲିବା ସହ ଆତଙ୍କ ଖେଳାଇଥିଲା । ଭାଲୁ ଭୟରେ ଲୋକେ ଘରୁ ବାହାରିବାକୁ ଡରୁଥିଲେ । ଚନ୍ଦ୍ରପୁର ଆଶ୍ରମ ବିଦ୍ୟାଳୟ ପାଚେରୀକୁ ଲାଗିଥିବା ମକା କିଆରୀରେ ଭାଲୁଟି ଲୁଚି ରହୁଥିଲା । ଅନେକ ସମୟରେ ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ମଧ୍ୟ ଚାଲିଆସୁଥିଲା । ଭାଲୁ ଆକ୍ରମଣ ଆଶଙ୍କାରେ ସ୍ଥାନୀୟ ଲୋକେ ଘରୁ ବାହାରୁ ନଥିଲେ । ଏପରିକି ପିଲାମାନେ ସ୍କୁଲ ଯିବା ବି ବନ୍ଦ କରି ଦେଇଥିଲେ ।

ଏନେଇ ବନ ବିଭାଗକୁ ଖବର ଦେବା ପରେ ଭାଲୁଟିକୁ ଧରିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା । ହେଲେ ଭାଲୁ ବନ କର୍ମଚାରୀଙ୍କୁ ବାରମ୍ବାର ଚକମା ଦେବା ସହ ଜନ୍ତାରେ ପଡୁ ନଥିଲା । ଶେଷରେ ଭାଲୁକୁ ବାକୁ କରିବାକୁ ରାପିଡ ରେସପନ୍ସ ଟିମକୁ ଆସିବାକୁ ପଡ଼ିଥିଲା । ସେମାନେ ବସାଇଥିବା ଜନ୍ତାରେ ଶେଷରେ ଭାଲୁଟି ପଡ଼ିଛି ।

ଧରାପଡ଼ିବା ପରେ ବନ ବିଭାଗ ଭାଲୁଟିକୁ ସାଙ୍ଗରେ ନେଇ ଯାଇଛି । ଏବେ ଭାଲୁର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ । ସବୁ ଠିକ ଥିଲେ ଭାଲୁଟିକୁ ଜଙ୍ଗଲରେ ଛାଡି ଦିଆଯିବ । ଯଦି ଭାଲୁର ସ୍ବାସ୍ଥ୍ୟରେ କୌଣସି ସମସ୍ୟା ଥାଏ ତେବେ ଚିକିତ୍ସା ପରେ ଜଙ୍ଗଲରେ ଛଡ଼ାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।