ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା: କୋର୍ଟରେ ଅରୁଣ ବୋଥ୍ରାଙ୍କ ସାକ୍ଷ୍ୟ ପ୍ରଦାନ


ପାଟଣାଗଡ଼: ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ବିଚାର ୬ ବର୍ଷ ପରେ ବି ଚାଲିଛି । ପାଟଣାଗଡ଼ ଏଡିଜେଙ୍କ କୋର୍ଟରେ ଆଜି ସାକ୍ଷ୍ୟ ପ୍ରଦାନ କରିଛନ୍ତି ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା । ୬୦ ନମ୍ବର ସାକ୍ଷୀ ଭାବରେ ଅରୁଣ ସାକ୍ଷ୍ୟ ପ୍ରଦାନ କରିଛନ୍ତି ।
କୋର୍ଟରେ ସରକାରୀ ଓକିଲ ଓ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ଓକିଲ ଉପସ୍ଥିତ ଥିଲେ । ଏହି ବିସ୍ଫୋରଣ ଘଟଣାର ତଦନ୍ତ କରୁଥିଲେ ଅରୁଣ ବୋଥ୍ରା । ପୁଞ୍ଜିଲାଲକୁ ନେଇ ହୋଇଥିବା କ୍ରାଇମ ସିନ୍‌ର ସିଡି ଡିସ୍‌ପ୍ଲେ ପାଇଁ ଶୁଣାଣି ବେଳେ ଦାବି ହୋଇଛି । କ୍ରାଇମବ୍ରାଞ୍ଚ ଓକିଲଙ୍କ ଦାବିକୁ ବିରୋଧ କରିଛନ୍ତି ପ୍ରତୀପକ୍ଷ ଓକିଲ । ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ।
୨୦୧୮ ମସିହାରେ ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଘଟିଥିଲା । ପାଟଣାଗଡ଼ ସହରର ବରହମପୁରାରେ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ଘରକୁ ଆସିଥିବା ଏକ ପାର୍ସଲ । ଯେଉଁଥିଲେ ଥିଲା ବୋମା । ଏହି ବୋମା ବିସ୍ଫୋରଣରେ ରବୀନ୍ଦ୍ରଙ୍କ ନବ ବିବାହିତ ପୁଅ ସୌମ୍ୟଶେଖର ଏବଂ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଥିଲା । ବିସ୍ଫୋରଣରେ ସୌମ୍ୟଶେଖରଙ୍କ ପତ୍ନୀ ରିମାରାଣୀ ଗୁରୁତର ଆହତ ହୋଇଥିଲେ । ଦୀର୍ଘଦିନର ଚିକିତ୍ସା ପରେ ସେ ମୃତ୍ୟୁ ମୁହଁରୁ ଫେରିଥିଲେ ।
ଏହି ଘଟଣା ସମଗ୍ର ରାଜ୍ୟରେ ଚହଳି ସୃଷ୍ଟି କରିଥିବା ବେଳେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏହାର ତଦନ୍ତ ଭାର ନେଇଥିଲା କ୍ରାଇମବ୍ରାଞ୍ଚ । ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଚାଲିଥିଲା ତଦନ୍ତ । ଘଟଣାର ଏକମାତ୍ର ମୁଖ୍ୟ ଅଭିଯୁକ୍ତ ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେରକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ବଲାଙ୍ଗୀର ଜେଲରେ ପୁଞ୍ଜିଲାଲ ମେହେର ଏବେ ବିଚାରାଧୀନ ବନ୍ଦୀ ଭାବରେ ଅଛନ୍ତି ।
ପୁଞ୍ଜିଲାଲ ସୌମ୍ୟଶେଖରଙ୍କ ମାଆ ସଂଯୁକ୍ତା ସାହୁଙ୍କ ସହ ଏକାଠି ଭଇଁଷାର କଲେଜରେ କାମ କରୁଥିଲେ । ସଂଯୁକ୍ତା ସାହୁ ଭଇଁଷାର କଲେଜର ଅଧ୍ୟକ୍ଷା ଥିଲେ ମଧ୍ୟ ପୁଞ୍ଜିଲାଲ ତାଙ୍କୁ ଅଧ୍ୟକ୍ଷା ଭାବେ ଗ୍ରହଣ କରି ପାରୁ ନଥିଲେ । କାରଣ ସଂଯୁକ୍ତା ସେହି କଲେଜକୁ ବଦଳି ହୋଇ ଆସିବା ପୂର୍ବରୁ ପୁଞ୍ଜିଲାଲ ଉକ୍ତ କଲେଜର ଅଧ୍ୟକ୍ଷ ଦାୟିତ୍ୱରେ ଥିଲେ । ତେବେ ବରିଷ୍ଠତା ଭିତ୍ତିରେ ସଂଯୁକ୍ତାଙ୍କୁ ଅଧ୍ୟକ୍ଷା କରାଯାଇଥିଲା । ଏହାକୁ ନେଇ ତାଙ୍କର ସଂଯୁକ୍ତାଙ୍କ ସହିତ ବିବାଦ ଲାଗି ରହିଥିବା ବେଳେ ବିଭିନ୍ନ ସମୟରେ ସେ ତାଙ୍କୁ ହଇରାଣ କରୁଥିଲେ ।
ଏତିକିରେ ମନ ଶାନ୍ତ ନ ହେବାରୁ ପ୍ରତିଶୋଧ ନେବା ନିମନ୍ତେ ପୁଞ୍ଜିଲାଲ ରଚିଥିଲେ ଭୟଙ୍କର ଷଡଯନ୍ତ୍ର । ସଂଯୁକ୍ତାଙ୍କ ପୁଅ ବାହାଘରରେ ସେ ପାର୍ସଲ ବୋମା ବିସ୍ଫୋରଣ କରିଥିଲେ । ଏହାପରେ ପ୍ରମାଣ ନଷ୍ଟ କରି ପୋଲିସ ଆଖିରେ ଧୂଳି ଦେବା ନିମନ୍ତେ ବାରମ୍ବାର ଦୃଶ୍ୟମ ସିନେମା ଦେଖୁଥିଲେ । ପୁଞ୍ଜିଲାଲ ରହୁଥିବା ଘର ସାମ୍ନାର ଡଷ୍ଟବିନକୁ ବଲାଙ୍ଗୀର ପୋଲିସର ସାଇଣ୍ଟିଫିକ ଟିମ୍‌ ଯାଞ୍ଚ କରିଥିଲେ । ଡଷ୍ଟବିନ ଭିତରୁ କିଛି କଟା ତାର, ଇଲେଟ୍ରୋନିକ୍ସ ଯନ୍ତ୍ରାଶଂ ଓ ଗୁଣ୍ଡଯୁକ୍ତ ଏକ୍ସପ୍ଳୋସିଭ ବାହାରିଥିଲା । ଏହି ମାମଲାରେ କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲଙ୍କୁ ଗିରଫ କରିଥିଲା ।