ଭୁବନେଶ୍ବର: ରାଜ୍ୟରେ ବାର୍ଡ ଫ୍ଲୁ ସଂକ୍ରମଣ ବ୍ୟାପିବାରେ ଲାଗିଛି । ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସଂକ୍ରମଣ ବ୍ୟାପିବା ଚିନ୍ତାର କାରଣ ପାଲଟିଛି । ଏମିତି ସ୍ଥିତିରେ ଦିନେ ଦୁଇ ଦିନ ମଧ୍ୟରେ ସଂକ୍ରମଣର ତଦାରଖ କରିବାକୁ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସୁଥିବା ଜଣାପଡିଛି । ଟିମ୍ ବାର୍ଡ ଫ୍ଲୁ ବ୍ୟାପିଥିବା ଅଞ୍ଚଳ ବୁଲିବା ସହ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ବୈଠକ କରିବେ ।
ବାର୍ଡ ଫ୍ଲୁ ପାଇଁ ରାଜ୍ୟରେ ନିଆ ଯାଇଥିବା ପଦକ୍ଷେପ ନେଇ ପ୍ରଥମ ଦିନରୁ ହିଁ କେନ୍ଦ୍ରୀୟ ଟିମକୁ ଅବଗତ କରାଯାଇଛି ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ନେଇ ଏଯାଏଁ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ କୌଣସି ସୂଚନା ଆସିନାହିଁ । ସେମାନେ କେନ୍ଦ୍ରାପଡ଼ାରେ କୁକୁଡ଼ା ମଡ଼କ ପରେ ସାମ୍ପଲ ଟେଷ୍ଟ ପାଇଁ ପଠାଇଛନ୍ତି । ତେବେ ଏଯାଏଁ ମଣିଷଙ୍କ ଦେହରେ ବାର୍ଡ ଫ୍ଲୁ ସଂକ୍ରମଣ ଚିହ୍ନଟ ହୋଇ ନଥିବା ଜଣାପଡିଛି । ପୂର୍ବରୁ ପରୀକ୍ଷା ପାଇଁ ପଠାଯାଇଥିବା ସନ୍ଦିଗ୍ଧ ନମୁନା ନେଗେଟିଭ ଆସିଛି ।
ତେବେ ବାର୍ଡ ଫ୍ଲୁ ନେଇ ସତର୍କ ରହିବାକୁ ସବୁ ଜିଲ୍ଲାକୁ ଆଲର୍ଟ କରାଯାଇଛି । କୁକୁଡ଼ା ଫାର୍ମରେ କାମ କରୁଥିବା ଓ କୁକୁଡ଼ା ସଂସ୍ପର୍ଶରେ ଆସୁଥିବା ଲୋକ ଅଧିକ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ପକ୍ଷରୁ ପରାମର୍ଶ ଦିଆଯାଇଛି ।