ଧର୍ମଗଡ଼ ଗ୍ରାମ୍ୟ ନିର୍ମାଣ ବିଭାଗ: ଅଫିସ ଖୋଲା, ଚାମ୍ବରରେ ତାଲା
 
        ଧର୍ମଗଡ଼, ତା ୫/୯- ନିୟମ ରହିଛି ସକାଳ ୧୦.୩୦ ଭିତରେ ସରକାରୀ ଅଧିକାରୀ ନିଜ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ । ବିଭିନ୍ନ ସମୟରେ ଏଥିରେ ଅନିୟମିତତା ପରିଲକ୍ଷିତ ହେଉଥିବାରୁ ଏଥିରେ ସ୍ଵଚ୍ଛତା ଆଣିବା ପାଇଁ ସରକାର ଅନେକ କାର୍ଯ୍ୟାଳୟରେ ବାଇମେଟ୍ରିକ ଉପସ୍ଥାନ ବ୍ୟବସ୍ଥା କରିଥିଲେ। କରୋନା ସମୟରେ ବାଇମେଟ୍ରିକ ଉପସ୍ଥାନ ବନ୍ଦ କରାଯାଇଥିଲା। ଏବେ ଆଉ କରୋନା ଭୟ ନାହିଁ। କିନ୍ତୁ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ବାଇମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ଲାଗୁ ହୋଇନାହିଁ। ଯାହାର ଫାଇଦା ନେଉଛନ୍ତି ଅଧିକାରୀ ଠୁଁ କର୍ମଚାରୀ। ଅଫିସକୁ ମନଇଚ୍ଛା ଆସୁଛନ୍ତି। ମନଇଚ୍ଛା ବାହାରୁଛନ୍ତି। ଗୁରୁବାର ଧର୍ମଗଡ଼ ଗ୍ରାମ୍ୟ ନିର୍ମାଣ ବିଭାଗରେ ଦେଖିବାକୁ ମିଳିଥିଲା। ସମୟ ୧୧ଟାରୁ ଅଧିକ ହୋଇଥିଲେ ହେଁ ଅଧିକାରୀ କିମ୍ବା କୌଣସି କର୍ମଚାରୀ କାର୍ଯ୍ୟାଳୟରେ ନଥିଲେ। ଅଫିସ ଖୋଲା ଥିଲା। ଅଫିସରେ କିଛି ଚତୁର୍ଥ ଶ୍ରେଣୀ କର୍ମଚାରୀ ଥିଲେ। ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀଙ୍କ ଚାମ୍ଵରରେ ତାଲା ଲାଗିଥିଲା। କିଛି କର୍ମଚାରୀଙ୍କ ଚାମ୍ବର ଖୋଲା ଥିଲା । କିନ୍ତୁ ଚଉକିରେ କୌଣସି କର୍ମଚାରୀ ବସିନଥିଲେ। ଅଫିସରେ ସିସି ଟିଭି ଲାଗିଛି। ଲେଖା ଯାଇଛି ଆପଣ ସିସି ଟିଭି ନଜରରେ ଅଛନ୍ତି। ସିସିଟିଭିରେ ଏହି ଦୃଶ୍ୟ କଏଦ ହେଉଛି କି ନାହିଁ ତାହା ଅଧିକାରୀଙ୍କୁ ଜଣା। କିଛି ଦିନ ତଳେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ସମ୍ବଲପୁର ତହସିଲ ଗସ୍ତ କରିଥିଲେ। ଅଫିସ ସମୟରେ ମଧ୍ୟ କୌଣସି ଅଧିକାରୀ ଉପସ୍ଥିତ ନଥିଲେ। ନିଜେ ମନ୍ତ୍ରୀ ସୁରେଶ ପୁଜାରୀ ଫୋନ କରି ତହସିଲଦାରଙ୍କୁ ଡାକିଥିଲେ ଏବଂ ତାଗିଦ କରିଥିଲେ। ସେତେବେଳେ ମନେ ହେଉଥିଲା ଏଣିକି ସରକାରୀ କାର୍ଯ୍ୟାଳୟ ଗୁଡିକରେ ନିୟମିତତା ରହିବ । ଅଧିକାରୀ କର୍ମଚାରୀ ଠିକ ସମୟରେ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ। କିନ୍ତୁ ସେଭଳି କିଛି ଦେଖିବାକୁ ମିଳିନାହିଁ। ଏବେ ବି ତାଙ୍କ ବାବୁ ସଉକ ଛାଡ଼ି ନାହାଁନ୍ତି। ନିଜ ଇଚ୍ଛାରେ ଆସୁଛନ୍ତି ଯାଉଛନ୍ତି। ସରକାର ବଦଳିବା ପରେ ସରକାରୀ କର୍ମଚାରୀ ଅଧିକାରୀଙ୍କ ଚରିତ୍ର ବଦଳି ନାହିଁ। ନିର୍ବାହୀ ଯନ୍ତ୍ରୀଙ୍କ କଥା ୟା ଠୁଁ ବଳି। ସାଧାରଣ ଲୋକଙ୍କ ଫୋନ ବାବୁ ଉଠାନ୍ତି ନାହିଁ। ବାବୁଙ୍କୁ କୌଣସି ଅଭିଯୋଗ ନେଇ ଭେଟିବାକୁ ଗଲେ ବାବୁ ଦେଖା ଦିଅନ୍ତି ନାହିଁ। କୌଣସି କର୍ମଚାରୀଙ୍କୁ ପଚାରିଲେ ଉତ୍ତର ମିଳେ ସାର କ୍ଷେତ୍ର ପରିଦର୍ଶନରେ ଯାଇଛନ୍ତି। କିନ୍ତୁ କେଉଁ କ୍ଷେତ୍ର ପରିଦର୍ଶନ ତାହା କାହାକୁ ଜଣାନଥାଏ । ଅଧିନସ୍ଥ କନିଷ୍ଠ ଯନ୍ତ୍ରୀମାନେ ମଧ୍ୟ ଅନୁରୂପ। କାହା ଫୋନ ଉଠେଇବେ ନାହିଁ କି କାହା ଅଭିଯୋଗ ଶୁଣିବେ ନାହିଁ।

 
                        
 
                                 
                                 
                                 
                                 
                                