ସମ୍ବଲପୁର: ନୂଆଁଖାଇ ପ୍ରସ୍ତୁତି ଚାଲିଥିଲା । ଘରେ ଆସର ଜମିଥିଲା । ଭଳିକି ଭଳି ପିଠାପଣା ପ୍ରସ୍ତୁତ ହେଉଥିବା ବେଳେ ନୂଆ ଡ୍ରେସ୍ ବି କିଣା ହୋଇଥିଲା । ଘରେ ବନ୍ଧୁ ବାନ୍ଧକଙ୍କ ଭିଡ଼ ବି ଜମିଥିଲା । ଏହି ଆନନ୍ଦଉଲ୍ଲାସରେ ସାମିଲ ହେବା ନିମନ୍ତେ ତରତର ହୋଇ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନାବାଳିକା । ହେଲେ ଆଉ ଫେରି ନଥିଲେ । ପରେ ପରିବାର ଲୋକେ ପୋଖରୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ଏପରି ଏକ ଦୁଃଖଦ ଘଟଣା ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ବଲବସପୁର ଗାଁରେ । ମୃତକ ହେଲେ ୧୭ ବର୍ଷୀୟ ଶୋଭାଗିନୀ କର୍ଣ୍ଣ ।
ଘରେ ନୂଆଁଖାଇ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଥିବା ବେଳେ ଶୋଭାଗିନୀ ଖୁସି ମନରେ ଗାଧୋଇବାକୁ ପୋଖରୀକୁ ଯାଇଥିଲେ । ଗାଧୋଇ ସାରିବା ପରେ ନୂଆ ଡ୍ରେସ ପିନ୍ଧି ପିଠାପଣା ଖାଇ ସାଙ୍ଗଙ୍କ ସହ ମଜାମସ୍ତି କରିଥାନ୍ତେ । ମାତ୍ର ତାଙ୍କ ଆଶା ପୂରଣ ହୋଇପାରିଲାନି ।
ବହୁ ସମୟ ପର୍ଯ୍ୟନ୍ତ ଝିଅ ନ ଫେରିବାରୁ ପରିବାର ଲୋକେ ପୋଖରୀ ନିକଟକୁ ଯାଇଥିଲେ । ସେଠାରେ ଝିଅ କୂଳ ନିକଟରେ ପାଣିରେ ମୁହଁ ମାଡ଼ି ପଡ଼ିଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ପରିବାର ଲୋକେ ଅଚେତ ଅବସ୍ଥାରେ ଝିଅକୁ ରେଢ଼ାଖୋଲ ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ଶୋଭାଗିନୀଙ୍କୁ ମୃତ ଘୋଷଣା କରିଥିଲେ ।