ଗଣେଷ ବିସର୍ଜନ ବେଳେ ବୁଡ଼ିଗଲେ ଦୁଇଭାଇ, ବଡ଼ ଭାଇ ମୃତ


ବାଲେଶ୍ବର: ଗତକାଲି ବିଘ୍ନରାଜଙ୍କ ପୂଜା ସରିଥିବା ବେଳେ ଆଜିଠାରୁ ଆରମ୍ଭ ହୋଇଛି ବିସର୍ଜନ ଉତ୍ସବ । ରାଜ୍ୟର ବିଭିନ୍ନ ସ୍ଥାନରେ ବେଶ ଧୂମଧାମରେ ଗଣେଷଜୀଙ୍କ ବିସର୍ଜନ ଆରମ୍ଭ ହୋଇଛି । ତେବେ ଗଜାନନଙ୍କ ବିସର୍ଜନ ବେଳେ ବାଲେଶ୍ବରରେ ଦେଖିବାକୁ ମିଳିଛି ଅଘଟଣା । ପୋଖରୀରେ ବୁଡି ଗଲେ ଦୁଇ ଭାଇ । ବଡ଼ ଭାଇର ମୃତ୍ୟୁ ଘଟିଥିବା ବେଳେ ସାନ ଭାଇ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛି । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା କୁଳିଗାଁରେ ।
ମୃତକ ହେଲେ ଅରୁଣ ରାଉତଙ୍କ ବଡ଼ ପୁଅ ୧୧ ବର୍ଷୀୟ ପ୍ରତ୍ୟୁଷ ରଞ୍ଜନ ରାଉତ । ସେ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲେ । ତାଙ୍କ ଦାଦା ପୁଅ ଭାଇ ୮ ବର୍ଷୀୟ ସତ୍ୟଜିତ ରାଉତ ଗୁରୁତର ଥିବା ଜଣାଯାଇଛି ।
ଗତକାଲି କୁଳିଗାଁରେ ବଡ଼ ଧୂମଧାମରେ ବାବା ଗଣେଶଙ୍କ ପୂଜାର୍ଚନା ଚାଲିଥିବା ବେଳେ ଆଜି ହୋଇଥିଲା ବିସର୍ଜନ । ରୋସଣିରେ ଗ୍ରାମର କିଛି ଯୁବକ ଗଣେଶ ମୂର୍ତ୍ତିକୁ ଗାଁରେ ଥିବା ପୋଖରୀ କୂଳକୁ ନେଇଥିଲେ । ବିସର୍ଜନ ଦେଖିବାକୁ ପ୍ରବଳ ଭିଡ ଜମିଥିଲା । ପ୍ରତ୍ୟୁଷ ମଧ୍ୟ ନିଜ ସାନ ଭାଇ ସତ୍ୟଜିତଙ୍କ ସହ ବିସର୍ଜନ ଦେଖିବାକୁ ଯାଇଥିଲେ ।
ଏହି ସମୟରେ ଅସାବଧାନତା ବଶତଃ ଦୁଇ ଭାଇ ପାଣିରେ ବୁଡ଼ି ଯାଇଥିଲେ । ଏହାଦେଖି ତୁରନ୍ତ ପାଖରେ ଥିବା ଲୋକ ଉଭୟଙ୍କୁ ଉଦ୍ଧାର କରି ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ପ୍ରତ୍ୟୁଷଙ୍କୁ ମୃତ ଘୋଷଣା କରିଥିଲେ । ସତ୍ୟଜିତଙ୍କ ଅବସ୍ଥା ଗୁରୁତର ଥିବାରୁ ପରିବାର ଲୋକେ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।