୯ ଦିନର ନବଜାତ ଶିଶୁକନ୍ୟାକୁ ବିଷ ଦେଇ ମାରି ଦେଲେ ବାପାମାଆ


ତାମିଲନାଡୁ: ତାଙ୍କର ପୁଅ ଦରକାର ଥିଲା । ହେଲେ ଜନ୍ମ ହେଲା ଝିଅ । ହିତାହିତ ଜ୍ଞାନ ଭୁଲିଗଲେ ଦମ୍ପତି । ଯେଉଁ ପିଲାର ଜନ୍ମକୁ ଦିନରାତି ଅନାଇ ରହିଥିଲେ ଶେଷରେ ତାଙ୍କୁ ବିଷ ଦେଇ ଦେଲେ । ୯ ଦିନର ଶିଶୁକନ୍ୟାକୁ ବିଷ ଦେଇ ଦେଲେ । ଏପରି ଘଟଣା ଘଟିଛି ତାମିଲନାଡୁରେ ।
ସୂଚନା ଅନୁସାରେ, ଗିରଫ ହୋଇଥିବା ଦମ୍ପତି ହେଉଛନ୍ତି ସି ଜୀଭା ଏବଂ ଜେ ଡାଏନା । ଉଭୟଙ୍କର ୨ ବର୍ଷର ଏକ ଝିଅ ଅଛି । ଅଗଷ୍ଟ ୨୭ରେ ତାମିଲନାଡ଼ୁ ଭେଲୋରର ଏକ ହସ୍ପିଟାଲରେ ଆଉ ଏକ ଝିଅ ଜନ୍ମ ହୋଇଥିଲା । କିନ୍ତୁ ସେମାନେ ପୁ୍ଅଟିଏ ଚାହୁଁ ଥିଲେ । ତେଣୁ ସେମାନେ ନବଜାତ ଶିଶୁକନ୍ୟାକୁ ମାରିବାକୁ ଯୋଜନା କରିଥିଲେ । ଡାକ୍ତରଖାନାରୁ ଡିସଚାର୍ଜ ହୋଇ ଆସିବା ପରେ ଶିଶୁଟିକୁ ବିଷାକ୍ତ କ୍ଷୀର ପିଇବାକୁ ଦେଇଥିଲେ । ଫଳରେ ତା’ର ମୃତ୍ୟୁ ଘଟିଥିଲା । ଏନେଇ ପରିବାରର କୌଣସି ସଦସ୍ୟଙ୍କୁ ନ ଜଣାଇ ତୁରନ୍ତ ଘର ପଛପଟେ ପୋତି ଦେଇଥିଲେ ।
ପରିବାର ଲୋକେ ଏନେଇ ସନ୍ଦେହ କରି ପୋଲିସରେ ଖବର ଦେଇଥିଲେ । ଖବର ପାଇ ପୋଲିସ ଖୋଳତାଡ଼ କରି ପ୍ରକୃତ ସତ ବାହାର କରିଥିଲେ । ପୋଲିସ ମାଟି ଖୋଳି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଉଭୟ ମାଆବାପାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।