ଭୁବନେଶ୍ବର: ନଭେମ୍ବର ୧୫ ତାରିଖ ସୁଦ୍ଧା ଯୁକ୍ତଦୁଇ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ । ଚିଠି ଲେଖି ନିର୍ଦ୍ଦେଶ ଦେଲେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଏଥିସହ ପୂର୍ବରୁ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଲାଗିଥିବା ସିସିଟିଭି ସବୁ କିଭଳି କାର୍ଯ୍ୟକ୍ଷମ ହେଉଛି ତା’ ରିପୋର୍ଟ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ଯଦି ନଭେମ୍ବର ୧୫ ତାରିଖ ସୁଦ୍ଧା ସିସିଟିଭି ନଲାଗିଥିବ ତେବେ ପରୀକ୍ଷା କେନ୍ଦ୍ର ବାତିଲ କରାଯିବ ବୋଲି ଚରମବାଣୀ ଶୁଣାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।
୨୦୨୫ରେ ହେବାକୁ ଥିବା ଯୁକ୍ତଦୁଇ ପ୍ରାକ୍ଟିକାଲ ଓ ଥିଓରୀ ପରୀକ୍ଷା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ଫାଇନାଲ୍ ପରୀକ୍ଷା ପାଇଁ ହାତରେ ଆଉ ୪ ମାସ ବାକି ରହିଛି । ତା’ପୂର୍ବରୁ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ପରୀକ୍ଷା ସ୍ୱଚ୍ଛ ଓ ସହଜ କରିବାକୁ ପରିଚାଳନା ହବ୍, ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟଙ୍କ ଅଫିସ୍, ଏକଜାମ୍ ହଲ୍ ସହ ସେଲ୍ଫ ଫାଇନାଲିଂ କଲେଜର ସମସ୍ତ ଲାବରେଟୋରିରେ ବି ସିସିଟିଭି ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି । ଯେଉଁ ଶିକ୍ଷାନୁଷ୍ଠାନ ଧାର୍ଯ୍ୟ ସମୟରେ ନିର୍ଦ୍ଦେଶ ଅନୁପାଳନ ନ କରିବେ ସେଠି ଉଭୟ ଥିଓରୀ ଓ ପ୍ରାକ୍ଟିକାଲ ପରୀକ୍ଷା ବାତିଲ୍ କରାଯିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯିବାକୁ ନିଷ୍ପତ୍ତି ହୋଇଛି ।