କଟକ: ସିଡିଏ ସେକ୍ଟର-୯ ସ୍ଥିତ ଭଡ଼ା ଘରୁ ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର । ମୃତ ଅଧ୍ୟାପିକା ଜଣଙ୍କ ହେଉଛନ୍ତି ଅନନ୍ୟା ଚକ୍ରବର୍ତ୍ତୀ । ସେ କଟକ ଜାତୀୟ ଆଇନ ବିଶ୍ୱ ବିଦ୍ୟାଳୟରେ କାର୍ଯ୍ୟରତ ଥିଲେ । ତାଙ୍କ ଘର ପଶ୍ଚିମବଙ୍ଗର ବୋଲି ଜଣାଯାଇଛି ।
୨ ଦିନ ହେବ ଅନନ୍ୟା କଲେଜ ଯାଇ ନଥିଲେ । କଲେଜ କର୍ତ୍ତୃପକ୍ଷ ତାଙ୍କ ଫୋନକୁ କଲ୍ କରିଥିଲେ । ଅନ୍ୟାନଙ୍କ ଫୋନ୍ ରିଂ ହୋଇଥିଲେ ମଧ୍ୟ ସେ ଉଠାଇ ନଥିଲେ । ଗତକାଲି ମଧ୍ୟ କଲେଜ କର୍ତ୍ତୃପକ୍ଷ ଅଧ୍ୟାପିକାଙ୍କୁ ଫୋନ୍ କରିଥିଲେ । ହେଲେ ଫୋନ୍ ରିଂ ହୋଇ କଟିଥିଲେ ମଧ୍ୟ ଉଠାଇ ନଥିଲେ। କଲେଜ କର୍ତ୍ତୃପକ୍ଷ ଏନେଇ ପୋଲିସକୁ ଘଟଣା ସଂପର୍କରେ କହିଥିଲେ । ପୋଲିସ ଓ କଲେଜ କର୍ତ୍ତୃପକ୍ଷ ଭଡ଼ା ଘରେ ପହଞ୍ଚି ଅଧ୍ୟାପିକାଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ । ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବା ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
ତେବେ ଅଧ୍ୟାପିକାଙ୍କର କିପରି ମୃତ୍ୟୁ ଘଟିଲା ତା’ର କାରଣ ଜଣାପଡ଼ିନାହିଁ । ଅଧ୍ୟାପିକାଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣାର ତଦନ୍ତ କରୁଛି । ଘଟଣା ସଂପର୍କରେ ଅଧ୍ୟାପିକାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି । କିଛି ଦିନ ପୂର୍ବରୁ ଅଧ୍ୟାପିକାଙ୍କ ଛାଡ଼ପତ୍ର ହୋଇଥିଲା ବୋଲି ସୂଚନା ରହିଛି।