ମାଓବାଦୀ ସଙ୍ଗଠନରେ ବିଦ୍ରୋହ, ପୋଲିସ ଇନଫର୍ମର ସନ୍ଦେହରେ ସାଥିକୁ ମାରିଦେଲେ


ମାଲକାନଗିରି: ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି ମାଓବାଦୀଙ୍କ ସଙ୍ଗଠନ । sଡା ସୁରକ୍ଷା ଓ ଅପହଞ୍ଚ ଅଞ୍ଚଳରେ ଉନ୍ନୟନ କାମ ଲୋକଙ୍କୁ ମାଓ ସଙ୍ଗଠନଠାରୁ ଦୂରେଇବାରେ ଲାଗିଛି । ଏହାବାଦ ସୁରକ୍ଷାକର୍ମୀଙ୍କ ନେଟଓ୍ବର୍କ ଯୋଗୁଁ ଜଣାପଡିଯାଉଛି ମାସବାଦୀଙ୍କ ଟିକିନିଖି ଖବର । ଆଉ ଏହାକୁ ଆଧାର କରି ଯବାନମାନେ କେଉଁଠି ମାଓବାଦୀଙ୍କୁ ଧରୁଛନ୍ତି ତ କେଉଁଠି ଏନକାଉଣ୍ଟର କରୁଛନ୍ତି । ସ୍ଥିତି ଏମିତି ମାଓବାଦୀମାନେ ଏବେ ଆଉ କାହାରିଙ୍କୁ ବିଶ୍ବାସରେ ନେଉନାହାନ୍ତି । ଏପରିକି ନିଜ ସାଥିଙ୍କୁ ବି ସନ୍ଦେହ ଦୃଷ୍ଟିରେ ଦେଖିବା ଆରମ୍ଭ କରିଦେଲେଣି । ଏମିତି ସନ୍ଦେହରେ ମାଓବାଦୀମାନେ ନିଜ ସାଥିଙ୍କୁ ହତ୍ୟା କରିବାକୁ ବି ପଛାଉ ନାହାନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସୀମାନ୍ତ ବିଜାପୁରରେ ।

ଏଠିକାର ମାଓବାଦୀ ସଂଗଠନରେ ବିଦ୍ରୋହ ଦେଖିବାକୁ ମିଳିଛି । ଏନେଇ ପୋଲିସ ପ୍ରେସ ନୋଟ୍ ଜାରି କରିଛି । କ୍ରମାଗତ କ୍ଷତି ହେତୁ ମାଓବାଦୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । କାଙ୍କେରର ପରତାପୁରରେ ନକ୍ସଲମାନେ ନିଜ ସାଥି ମାଓବାଦୀ ବିଜ୍ଜାଙ୍କୁ ପୋଲିସ ସୂଚନାଦାତା ଅଭିଯୋଗରେ ହତ୍ୟା କରିଛନ୍ତି । ତେଲୁଗୁ କ୍ୟାଡର ନକ୍ସଲ ନେତା ବିଜୟ ରେଡ୍ଡୀ ଦଳମ ସାଥୀ ନକ୍ସଲ ବିଜ୍ଜାଙ୍କୁ ହତ୍ୟା କରିଥିବା ପୋଲିସ କହିଛି । ୬ ସେପ୍ଟେମ୍ବରରେ ବିଜ୍ଜାଙ୍କୁ ହତ୍ୟା କରାଯାଇଥିଲା ।

ଅତୀତରେ ଛତିଶଗଡରେ ହୋଇଥିବା ଏନକାଉଣ୍ଟରରେ ଅନ୍ୟ ରାଜ୍ୟରୁ ଆସିଥିବା ନକ୍ସଲମାନଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ବରିଷ୍ଠ ନକ୍ସଲମାନଙ୍କ ହତ୍ୟା ଯୋଗୁଁ ନକ୍ସଲମାନେ ବିଚଳିତ ହୋଇଛନ୍ତି । ବାହ୍ୟ ରାଜ୍ୟରୁ ଆସିଥିବା ନକ୍ସଲମାନେ ସ୍ଥାନୀୟ ଲୋକଙ୍କୁ ଢାଲ ଭାବରେ ବ୍ୟବହାର କରି କୋଟି କୋଟି ଟଙ୍କା ଲୁଟି ନେଇଛନ୍ତି । ତେଣୁ ଆତ୍ମସମର୍ପଣ ବ୍ୟତୀତ ନକ୍ସଲମାନଙ୍କ ପାଖରେ କୌଣସି ବିକଳ୍ପ ବାକି ନାହିଁ ବୋଲି ପ୍ରେସ ନୋଟରେ ସୂଚନା ଦେଇଛନ୍ତି ବସ୍ତର ଆଇଜି ସୁନ୍ଦରରାଜ ପି. ।