ସିଢ଼ିରୁ ପଡ଼ି ଇଞ୍ଜିନିୟରିଂ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ଥାନାରେ କରିଥିଲେ ରାଗିଂ ଅଭିଯୋଗ


ଭୁବନେଶ୍ବର: ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତ ଛାତ୍ରଙ୍କ ଜଣଙ୍କ ହେଲେ ଝାରଖଣ୍ଡ ରାଞ୍ଚିର ଅଭିଷେକ ରବି । ଛାତ୍ର ଜଣଙ୍କ କମ୍ପ୍ୟୁଟର ସାଇନ୍ସର ପ୍ରଥମ ବର୍ଷର ଛାତ୍ର ବୋଲି ସୂଚନା ମିଳିଛି । ଗତକାଲି ଛାତ୍ର ଜଣଙ୍କ କଲେଜ ଛାତ ସିଢ଼ିରୁ ପଡ଼ି ଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

ଅଭିଷେକଙ୍କ ମୃତ୍ୟ ହୋଇଥିବା ପରିବାର ଲୋକଙ୍କୁ ଜଣାଇଥିଲେ କଲେଜ କର୍ତ୍ତୃପକ୍ଷ । ଅନ୍ୟପକ୍ଷରେ ୧୨ ତାରିଖରେ ଛାତ୍ର ଜଣଙ୍କ କଲେଜରେ ତାଙ୍କୁ ରାଗିଂ କରାଯାଉଥିବା ନେଇ ଥାନାରେ ଅଭିଯୋଗ କରିଥିବା ସୂଚନା ରହିଛି ।

ରାଗିଂ ଅଭିଯୋଗ ପରେ ପରେ ଛାତ୍ରଙ୍କ ମୃତ୍ୟୁ ଘଟିଥିବାରୁ ଘଟଣା ସନ୍ଦେହ ଘେରରେ ରହିଛି । ରବିଙ୍କୁ ହତ୍ୟା କରାଯିବା ପରେ ସିଢ଼ିରୁ ପଡ଼ି ମୃତ୍ୟୁବରଣ କରିଥିବା ଦେଖାଇବାକୁ ଚେଷ୍ଟା କରାଯାଉଥିବା ସନ୍ଦେହ ହେଉଛି । ଯେଉଁ ଦିଗରେ ପୋଲିସ ମଧ୍ୟ ତଦନ୍ତ କରୁଛି । ତେବେ ଘଟଣାକୁ ନେଇ ମୃତ ଛାତ୍ରଙ୍କର ପରିବାରର କୌଣସି ପ୍ରତିକ୍ରିୟା ମିଳିନାହିଁ । ଗତ ୧୦ ତାରିଖରେ ଛାତ୍ର ଜଣଙ୍କ ଘରୋଇ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇଥିଲେ ରବି ।