୨ଟି ଦୁର୍ଘଟଣା: ୪ ମୃତ, ୯ ଆହତ


ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଦୁଇଟି ପୃଥକ ପୃଥକ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇଛନ୍ତି । ଦୁଇଟି ଯାକ ଦୁର୍ଘଟଣା ବାରିପଦାରେ ଘଟିଛି ।

ବାରିପଦା ସହର ଉପକଣ୍ଠ ରଙ୍ଗାମାଟିଆ ଲୁଲୁଙ୍ଗ ରାସ୍ତାର ଖସାଡିହା ନିକଟରେ ଏକ ବୋଲେରୋ ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଡ୍ରାଇଭର ସମେତ ୨ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣାରେ ୯ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତାହତମାନେ ବାଲିଡିହା ଗ୍ରାମରେ ବୋଲି ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ବାଲିଡିହାରୁ ୧୩ ଜଣ ଏକ ବୋଲେରୋରେ କୌଣସି କାମରେ ତାରଯୋଡ଼ି ଗାଁକୁ ଯାଉଥିଲେ । ଏହି ସମୟରେ ଖସାଡିହା ନିକଟରେ ଗାଡିଟି ଦୁର୍ଘଟଣାର ଶିକାର ହୋଇଥିଲା । ଆହତମାନଙ୍କୁ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।

ସେହିପରି ବାରିପଦା ସହର ଉପକଣ୍ଠ ପାଲବଣି ବାଇପାସ୍ ଛକଠାରେ ବାଇକ୍ ଆରୋହୀଙ୍କୁ ଟ୍ରକ୍ ପଛରୁ ଧକ୍କା ଦେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଦ୍ୱୟଙ୍କ ଘର ନୁରୁଡିହି ଗାଁରେ । ଗତକାଲି ଯୁବକ ଦ୍ବୟ ବାଇକ୍‌ରେ କରମ ନାଟରେ ସାମିଲ ହେବାକୁ ଯାଉଥିବା ବେଳେ ସେମାନଙ୍କୁ ପଛରୁ ଟ୍ରକଟି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଉଭୟଙ୍କଙ୍କ ମୃତ୍ୟୁ ଘଟିଥିଲା । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛିବା ସହ ଘଟଣାର ତଦନ୍ତ କରୁଛି ।