ଭୁବନେଶ୍ବର: ଓଡ଼ିଶାରେ ଗଡ଼ିଲା ଆଉ ଦୁଇଟି ‘ବନ୍ଦେ ଭାରତ’ ଏକ୍ସପ୍ରେସ୍ ଟ୍ରେନ । ବ୍ରହ୍ମପୁର-ଟାଟାନଗର ଓ ରାଉରକେଲା-ହାୱାଡ଼ା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଗଡ଼ିଛି । ଭର୍ଚୁଆଲ୍ ମୋଡରେ ଦୁଇ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଟ୍ରେନ ବ୍ରହ୍ମପୁରରୁ ବାହାରି ବାଲୁଗାଁ, ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, କଟକ, ଜଖପୁରା, ହରିଚନ୍ଦନପୁର, କେନ୍ଦୁଝର ଗଡ଼, ନୟାଗଡ଼, ବାଂଶପାଣି, ଡାଙ୍ଗୋଆପୋଷି, ଚାଇବାସା ହୋଇ ଟାଟାନଗରରେ ପହଞ୍ଚିବ । ଏହାର ଶୁଭାରମ୍ଭ ବେଳେ ବ୍ରହ୍ମପୁର ରେଳ ଷ୍ଟେସନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ ଥିଲେ ।
ସେହିପରି ରାଉରକେଲା-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ ରାଉରକେଲାରୁ ହାୱଡ଼ା ଭିତରେ କେବଳ ୩ଟି ଷ୍ଟେସନ ଚକ୍ରଧରପୁର, ଟାଟାନଗର ଓ ଖଡ଼ଗପୁରରେ ଅଟକିବ ବୋଲି ସୂଚନା ମିଳିଛି । ଏହାର ଶୁଭାରମ୍ଭ ବେଳେ ରାଉରକେଲା ଷ୍ଟେସନରେ ରାଜ୍ୟପାଳ ରଘୁବର ଦାସ ଉପସ୍ଥିତ ଥିଲେ ।
ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ଗସ୍ତରେ ଆସିବେ । ଏହି ଗସ୍ତ ସମୟରେ ମୋଦି ‘ସୁଭଦ୍ରା’ ଯୋଜନା ସହ ବିଭିନ୍ନ ସରକାରୀ ଯୋଜନାର ଉଦଘାଟନ କରିବେ । ଏଥିସହ ଦୁର୍ଗ- ବିଶାଖାପାଟଣା ବନ୍ଦେ ଭାରତର ଉଦଘାଟନ କରିବେ । ପୂର୍ବରୁ ଓଡ଼ିଶା ଦେଇ ୩ଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲୁଥିବା ବେଳେ, ୨ଟି ନୂଆ ସେମି-ହାଇସ୍ପିଡ୍ ଟ୍ରେନର ଶୁଭାରମ୍ଭ ପରେ ଏହି ସଂଖ୍ୟା ୫କୁ ବୃଦ୍ଧି ପାଇଛି ।