Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା’ ସରସ୍ବତୀ ବିଦ୍ୟା ମନ୍ଦିରରେ ବାର୍ଷିକ ଚିତ୍ରାଙ୍କନ, ହସ୍ତାକ୍ଷର, ଭାଷାଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗିତା, ଚିତ୍ରାଙ୍କନରେ ୪୬, ହସ୍ତାକ୍ଷରରେ ୫୪ ଓ ଭାଷାଜ୍ଞାନରେ ୪୮ଜଣ ଏଭଳି ମୋଟ ୧୪୮ ଛାତ୍ରଛାତ୍ରୀ ଭାଗ ନେଲେ

ଗୋପାଳପୁର, ୧୫/୯
ନାରାୟଣପୁର ସ୍ଥିତ ମା’ ସରସ୍ବତୀ ବିଦ୍ୟା ମନ୍ଦିରରେ ବାର୍ଷିକ ଚିତ୍ରାଙ୍କନ, ହସ୍ତାକ୍ଷର, ଭାଷାଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଚିତ୍ରାଙ୍କନରେ ୪୬, ହସ୍ତାକ୍ଷରରେ ୫୪ ଓ ଭାଷାଜ୍ଞାନରେ ୪୮ଜଣ ଏଭଳି ମୋଟ ୧୪୮ ଛାତ୍ରଛାତ୍ରୀ ଭାଗ ନେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋପାଳପୁର ଜେଡ୍ଏସଆଇର ବୈଜ୍ଞାନିକ ଡ.ଅନିଲ ମହାପାତ୍ର ଯୋଗ ଦେଇ ଏହି ଭଳି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରସଂଶା କରିବା ସହ ଛାତ୍ରଛାତ୍ରୀ ମାନେ ଓଡିଆ ଅସ୍ମିତାକୁ ବଞ୍ଚାଇ ରଖିବାକୁ ପରାମର୍ଶ ଦେଇଥିଲେ। ତାହାସହ ଭାଷା, ସଂସ୍କୃତି,ଶୃଙ୍ଖଳିତ, ଗୁଣାତ୍ମକ ଶିକ୍ଷା ଶିଶୁ ମନ୍ଦିରରେ ହିଁ ରହିଥାଏ ବୋଲି କହିଥିଲେ l ପ୍ରତିଭାକୁ ପଦର୍ଶନ କରିବା ପାଇଁ ପ୍ରତିଯୋଗିତାରେ ଭାଗ ନେବା ପାଇଁ ପରାମର୍ଶ ଦେଇ ଥିଲେ l ସମ୍ମାନୀତ ଅତିଥି ଭାବେ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ ଯୋଗ ଦେଇ ଜୀବନ ଏକ ପ୍ରତିଯୋଗିତା l ପ୍ରତିଯୋଗିତାରେ ହିଁ ଦକ୍ଷତା, କର୍ମ ନିଯୁକ୍ତି ସହାୟକ ହୋଇପାରିବ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ସାମ୍ବାଦିକ ରାଜୀବ ଲୋଚନ ମିଶ୍ର ଯୋଗଦେଇ ଚେଷ୍ଟା ଓ ନିଷ୍ଠା ରଖିଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ କାଳିପଲ୍ଲୀ ସ୍କୁଲର ଶିକ୍ଷକ କୃଷ୍ଣଚନ୍ଦ୍ର ଦାଶ, , ବିଦ୍ୟା ମନ୍ଦିରର ସମ୍ପାଦିକା ବି. ସୁମିତ୍ରା ରେଡ୍ଡୀ,ଚମାଖଣ୍ଡି ହାଇସ୍କୁଲର ସଂସ୍କୃତ ଶିକ୍ଷକ ରଞ୍ଜିତ କୁମାର ପଣ୍ଡା ମଂଚାସୀନ ରହି ନିଜ ନିଜ ମତ ରଖିଥିଲେ l ପ୍ରତିଯୋଗିତାରେ ନାରାୟଣପୁର ମା’ ସରସ୍ବତୀ ବିଦ୍ୟା ମନ୍ଦିର, ଭଞ୍ଜବିହାର ହାୟର ସେକେଣ୍ଡାରି ସ୍କୁଲ,ଗୋପାଳପୁର ପି.ଏମ୍ ହାଇସ୍କୁଲ,ଡ଼ୁରା ଶିଶୁ ମନ୍ଦିର ଆଦି ବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତାରେ ନାରାୟଣପୁର ମା’ ସରସ୍ଵତୀ ବିଦ୍ୟା ମନ୍ଦିରର ବି. ସାଇ ରେଡି ପ୍ରଥମ, ହରପ୍ରିୟା ଦାସ ଦ୍ବିତୀୟ,ଶୁଭଦୀପ ଦାସ ତୃତୀୟ ସ୍ଥାନ ଅଧିକାର କରିଥିବା ବ‌େଳେ ହସ୍ତାକ୍ଷରରେ ଭଞ୍ଜବିହାର ସରସ୍ବତୀ ଶିଶୁ ମନ୍ଦିରର ଜସ୍ମିନ ଗୌଡ଼ ପ୍ରଥମ, ନାରାୟଣପୁର ମା’ ସରସ୍ଵତୀ ବିଦ୍ୟା ମନ୍ଦିରର ରୁତୁପୂର୍ଣ୍ଣା ବେହେରା ଦ୍ୱିତୀୟ ଓ ବବଲି ସାହୁ ତୃତୀୟ ସେହିପରି ଓଡ଼ିଆ ଭାଷାଜ୍ଞାନ ଓ ପ୍ରବନ୍ଧରେ ନାରାୟଣପୁର ମା’ ସରସ୍ଵତୀ ବିଦ୍ୟା ମନ୍ଦିରର ଓମ ସାହୁ ପ୍ରଥମ,ପ୍ରିୟଙ୍କା ତ୍ରିପାଠୀ ଦ୍ବିତୀୟ, ୟୁନିଭରସିଟି ହାୟର ସେକେଣ୍ଡରି ସ୍କୁଲର ସାଇ ରାମ ରାଉଳ ତୃତୀୟ ସ୍ଥାନ ଅଧିକାର କରିଥିଲେ। କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପ୍ରଶଂସାପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ‘ସମ୍ବାଦ’ର ପ୍ରତିନିଧି ଅନିଲ କୁମାର ପଟ୍ଟନାୟକ ପରିଚାଳନା କରିଥିଲେ l ସଭା ପରିଚାଳନା ସିମାଞ୍ଚଳ ପଟ୍ଟନାୟକ କରିଥିବା ବେଳେ ସତ୍ୟ ନାରାୟଣ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ପରିଚାଳନା କମିଟି ସଦସ୍ୟ, ଶିଶୁ ମନ୍ଦିର ସମସ୍ତ ଗୁରୁଜୀ, ଗୁରୁମା ସହଯୋଗ କରିଥିଲେ।