ବାଲେଶ୍ବରରେ ବନ୍ୟା ସ୍ଥିତି ସଙ୍ଗୀନ, ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ


ବାଲେଶ୍ବର: ଲଗାଣ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ସୁବର୍ଣ୍ଣରେଖାର ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ବସ୍ତା ବ୍ଲକର ବହୁ ଅଞ୍ଚଳ ଜଳବନ୍ଦୀ ହୋଇଛି । ଗାଁ ଗାଁରେ ଅଣ୍ଟାଏ ଲେଖାଏଁ ପାଣି ଚାଲିଛି । ଲୋକେ ଘରେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଆଜି ଆକାଶ ମାର୍ଗରୁ ବାଲେଶ୍ୱର ବନ୍ୟା ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଭୁବନେଶ୍ୱର ବିମାନବନ୍ଦରରୁ ହେଲିକପ୍ଟର ଯୋଗେ ବାଲେଶ୍ୱର ଯାଇ ଆକାଶ ମାର୍ଗରୁ ବାଲିଆପାଳ ଓ ଭୋଗରାଇର ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ।

ଏରିଏଲ୍ ସର୍ଭେ କରିବା ପରେ ବାଲେଶ୍ୱର ପଦ୍ମାବତୀ ପାର୍କ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ । ଏହାପରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ସହ କନଫରେନସ ହଲରେ ବନ୍ୟା ସ୍ଥିତି ମୁକାବିଲା ନେଇ ଆଲୋଚନା କରିବେ । ଏହି ସମୟରେ ବାଲେଶ୍ୱର ଜିଲ୍ଲାପାଳ ଓ ଏସପିଙ୍କ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିବେ । ସୁବର୍ଣ୍ଣରେଖାର ବନ୍ୟାଜଳରେ ବୁଡିଛି ବାଲିଆପାଳ, ଭୋଗରାଇ, ଜଳେଶ୍ବର ଓ ବସ୍ତା ବ୍ଲକ୍। ବୁଢାବଳଙ୍ଗ ଓ ଜଳକା ବି ଫୁଲୁଛି ।

ଗାଁ ଗାଁରେ ଅଣ୍ଟାଏ ଲେଖାଏଁ ପାଣି ଚାଲିଛି । ଲୋକେ ଘରେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଜରୁରୀ ସାମଗ୍ରୀ ଆଣିବାକୁ ଡଙ୍ଗାରେ ଯାଆସ କରୁଛନ୍ତି । ଯୁଆଡ଼େ ଦେଖିଲେ ଖାଲି ପାଣି ଆଉ ପାଣି ଦିଶୁଛି । ହଜାର ହଜାର ହେକ୍ଟର ଚାଷ ଜମି ବନ୍ୟା ପାଣିରେ ବୁଡ଼ିଛି । ବୁଢାବଳଙ୍ଗ ଓ ଜଳକା ବି ଫୁଲୁଛି । ଫଳରେ ଆତଙ୍କିତ ହୋଇପଡିଛନ୍ତି ନଦୀ କୂଳିଆ ଲୋକେ ।

ସେପଟେ ମୟୂରଭଞ୍ଜରେ ଭୀଷଣ ବର୍ଷା ଯୋଗୁଁ ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା ଓ ଚିତ୍ରଡା ଅଞ୍ଚଳରେ ବୃଦ୍ଧି ପାଇଛି ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ଲଗାଣ ବର୍ଷା ଯୋଗୁଁ ନଦୀରେ ବନ୍ୟା ପାଣି ଆସି ବଡ଼ସାହି ବ୍ଲକ୍ ଭିମଦା ପଞ୍ଚାୟତର ଚେଙ୍ଗୁଆ ମଙ୍ଗଳପୁର ବନ୍ଧର ଆଡି ବନ୍ଧ ଭାଙ୍ଗିଯାଇଛି । ଫଳରେ ଶହ ଶହ ହେକ୍ଟର ହେକ୍ଟର ଜମିରେ ପାଣି ମାଡିଯାଇଛି ।

ଗତ ୪ ଦିନ ଧରି ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ ବୁଢ଼ାବଳଙ୍ଗ, ବୈତରଣୀ, ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ଫଳରେ ବାଲେଶ୍ୱରରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି ।