ଭରତପୁର ଥାନା ଥାର୍ଡ ଡିଗ୍ରୀ ମାମଲା: ବିଚାର ବିଭାଗୀୟ ତଦନ୍ତ ଦାବି କଲେ ନବୀନ


ଭୁବନେଶ୍ବର: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଦିଆଟିବା ମାମଲାର ବିଚାର ବିଭାଗୀୟ ତଦନ୍ତ ଦାବି କରିଚନ୍ତିପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ନବୀନ କହିଛନ୍ତି ।
ଜଣେ ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଥାନା ହାଜତରେ ଦିଆଯାଇଥିବା ନିର୍ଯାତନା ନିନ୍ଦନୀୟ ବୋଲି ନବୀନ କହିବା ସହ ଏହାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି । ତୁରନ୍ତ ଘଟଣାର ତଦନ୍ତ ସାରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ କହିଛନ୍ତି ।
୨୨ ଶିଖ ରେଜିମେଣ୍ଟର ସେନା ଅଧିକାରୀ ମେଜର ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀ ଗତ ଶନିବାର ବିଳମ୍ବିତ ରାତିରେ ପଟିଆରୁ କାରରେ ଯାଉଥିଲେ । ମଝି ରାସ୍ତାରେ ୨ଟି କାରରେ କିଛି ରୋଡ୍‌ ରୋମିଓ ଆସି ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ । ଏ ସଂପର୍କରେ ଅଭିଯୋଗ କରିବା ପାଇଁ ସେମାନେ ଭରତପୁର ଥାନାକୁ ଯାଇଥିଲେ ।
ସେଠାରେ ପୋଲିସ ଓ ସେନା ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିବା ବେଳେ ଗୁରୁବଂଶଙ୍କୁ ରାତି ତମାମ୍‌ ଲକ୍‌ ଅପ୍‌ରେ ରଖିଥିଲା ପୋଲିସ୍‌ । ତାଙ୍କ ବାନ୍ଧବୀଙ୍କୁ ଉପସ୍ଥିତ ପୋଲିସ କର୍ମଚାରୀ ଦୁର୍ବ୍ୟବହାର କରିବା ସହ ମାଡ଼ ମାରି ଲହୁଲୁହାଣ କରିଥିବା ଗୁରୁବଂଶ ଅଭିଯୋଗ କରିଥିଲେ । କେବଳ ଏତିକି ନୁହେଁ, ଭରତପୁର ଥାନା ଆଇଆଇସି ଦୁଷ୍କର୍ମ ଧମକ ଦେଇଥିବା ମଧ୍ୟ ଅଭିଯୋଗ କରିଥିଲେ ସେନା ଅଧିକାରୀ ।
ପରବର୍ତ୍ତୀ ସମୟରେ ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ଗିରଫ କରାଯାଇ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଥିଲା । ପୋଲିସର ଅତ୍ୟଧିକ ମାଡ଼ରେ ଲହୁଲୁହାଣ ହୋଇ ସେ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ ।
ଭୁବନେଶ୍ୱରସ୍ଥିତ ଭରତପୁର ଥାନାରେ ମେଜର ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଓ ଦୁର୍ବ୍ୟବହାର ମାମଲାରେ ପ୍ରଥମେ ଆଇଆଇସି ଦିନକୃଷ୍ଣ ମିଶ୍ର ଓ ଅନ୍ୟ ୪ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିଲା । ଆଜି ସେମାନଙ୍କ ନାଁରେ ଅପରାଧିକ ମାମଲା ରୁଜୁ ହୋଇଛି । ମେଜରଙ୍କ ଲିଖିତ ଅଭିଯୋଗ ପରେ କ୍ରାଇମବ୍ରାଞ୍ଚ ଏହି ମାମଲା ରୁଜୁ କରିଛି ।
ଏଥିସହ ଘଟଣାର ମୂଳ ମାମଲାର ତଦନ୍ତ କରି ରୋଡ଼ ରୋମିଓଙ୍କୁ ତୁରନ୍ତ ଚିହ୍ନଟ କରି ଗିରଫ କରିବା ନିମନ୍ତେ ଗତକାଲିଠୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ୍‌ ଡିଜିପି ୱାଇ ବି ଖୁରାନିଆ ।