ଭରତପୁର ଘଟଣାରେ ବିଜେଡି ଉପରେ ବର୍ଷିଲେ ସୌମ୍ୟ: କହିଲେ- ଯାହାର ଦେଖା ମିଳୁ ନଥିଲା ସେ ନିନ୍ଦୁଛନ୍ତି


ଭୁବନେଶ୍ବର: ଭରତପୁର ଥାନାରେ ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ନିର୍ଯାତନା ଘଟଣାକୁ ନେଇ ରାଜନୈତିକ ବାୟାନବାଜି ଆରମ୍ଭ ହୋଇଯାଇଛି । ଏହି ଘଟଣାକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଦୋଷାରୋପ କରୁଛନ୍ତି । ଏହି ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କରିଛନ୍ତି ପୂର୍ବତନ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ।

ସେ କହିଛନ୍ତି, ଗୋଟିଏ ଘଟଣାକୁ ନେଇ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ବୋଲି କହି ହେବନାହିଁ । ଏହି ସରକାରକୁ ଅଧିକ ସମୟ ଦେବାକୁ ପଡ଼ିବ । ୨୫ ବର୍ଷର ସରକାରର ଅବସାନ ପରେ ୧୦୦ ଦିନର ସରକାର ସହିତ ତୁଳନା କରିବା ଠିକ ନୁହେଁ ।

ସୌମ୍ୟ କହିଛନ୍ତି, ଯାହାକୁ ଆଗରୁ ଖୋଜିଲେ ମିଳୁ ନଥିଲେ, ସେମାନେ ଗାତରୁ ବାହାରି ସମ୍ବାଦିକ ସମ୍ମିଳନୀ କରୁଛନ୍ତି ଓ ସରକାରଙ୍କୁ ନିନ୍ଦା କରୁଛନ୍ତି । ସେମାନେ ବୋଧେ ହୁଏ ନିଜ ଅମଳ କଥା ଭୁଲି ଯାଉଛନ୍ତି । ମୁଁ ଭାବୁଛି ସରକାରଙ୍କୁ ଟିକିଏ ଅଧିକ ସମୟ ଦେବା ଦରକାର ।

ସରକାରଙ୍କୁ ୨୦୦ ଦିନ ସମୟ ଦେବା ଦରକାର । ଯଦି ଡିସେମ୍ବର ମାସ ସୁଦ୍ଧା ସରକାରଙ୍କର କୌଣସି ପ୍ରଭାବ ଦେଖିବାକୁ ମିଳିବ ନାହିଁ, ତାହା ହେଲେ ଆମେ କହିବା । ସୌମ୍ୟଙ୍କ ସମାଲୋଚନା ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

ଗତକାଲି ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିବା ସହ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଥିଲେ । ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଟ୍ୱିଟ୍‌ କରି ଓଡ଼ିଶାରେ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ । ଏଥିସହ ରାହୁଲ ଟ୍ୱିଟ୍‌ ଉଲ୍ଲେଖ କରିଥିଲେ ଯେ, ବିଜେପି ସରକାରରେ ମହିଳାମାନଙ୍କ ବିରୋଧରେ ଅପରାଧ ସମ୍ପୂର୍ଣ୍ଣ ଭାବେ ବେନିୟନ୍ତ୍ରଣ ଓ ନିରଙ୍କୁଶ ହୋଇଯାଇଛି । ଯେତେବେଳେ ସରକାରୀ ବ୍ୟବସ୍ଥା ଭିତରେ ଅନ୍ୟାୟ ହେଉଛି ଓ ଛତ୍ରଛାୟା ମିଳୁଛି ସେଠି ସାଧାରଣ ନାଗରିକ କାହାଠୁ ସହାୟତା ପାଇଁ ଆଶା କରିବ ? ଏହି ଘଟଣାରେ ସମସ୍ତ ଦୋଷୀ କଠୋର କାର୍ଯ୍ୟାନୁଷ୍ଠାନର ପାତ୍ର । ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭାରତର ଜନତା ବିଶେଷ କରି ମହିଳାଙ୍କ ସମ୍ମୁଖରେ ନ୍ୟାୟ ଓ ସୁରକ୍ଷାର ଉଦାହରଣ ଉପସ୍ଥାପନ କରିବା ଦରକାର ବୋଲି ଗାନ୍ଧୀ କହିଥିଲେ ।