ଓଡ଼ିଶାର ‘ବଣ୍ଟି ଔର ବବଲି’: ଗିରଫ ପରେ ଜବତ ହେଲା ୩୦ ବାଇକ୍


ନୟାଗଡ଼: ବଲିଉଡର ସୁରପହିଟ୍ ଫିଲ୍ମ ବଣ୍ଟି ଔର ବବଲି ତ ଦେଖିଥିବେ । କେମିତି ଉଭୟ ନିଜର ସାତିର ଦିମାଗ ଲଗାଇ ଲୁଟ କରୁଥିଲେ । ସେମିତି ଏକ ଯୋଡ଼ା ଦମ୍ପତିଙ୍କୁ ନୟାଗଡ଼ ପୋଲିସ ଗିରଫ କରିଛି । ସେମାନଙ୍କ ପାରୁ ୩୦ ଚୋରା ଗାଡ଼ି ଜବତ କରାଯାଇଛି । ଗାଡି ଚୋରି ରାକେଟର ପର୍ଦ୍ଦାଫାସ ହେବା ପରେ ଏହି ଦମ୍ପତିଙ୍କୁ ଓଡ଼ିଶାର ବଣ୍ଟି ଔର ବବଲି ବୋଲି କୁହାଯାଉଛି ।   

କାରଣ ପତିପତ୍ନୀ ମିଶି ଚୋରି କରୁଥିଲେ ଗୋଟିଏ ପରେ ଗୋଟିଏ ବାଇକ୍‌ । ଏଥିପାଇଁ ସେମାନେ ରାସ୍ତା ପାର୍ଶ୍ୱ, ବ୍ୟାଙ୍କ ତଥା ଦୋକାନ ସମ୍ମୁଖରେ ଥିବା ଗାଡ଼ିଗୁଡ଼ିକୁ ଟାର୍ଗେଟ କରୁଥିଲେ । ପ୍ରଥମେ ପତ୍ନୀ ନିଜ ପାଖରେ ଥିବା ମାଷ୍ଟର ଚାବିରେ ଗାଡ଼ିଗୁଡ଼ିକୁ ଖୋଲି ଦେଉଥିଲେ । କିଛି ସମୟ ପରେ ଖୋଦ ମହିଳା ଜଣକ ନିଜେ କିମ୍ବା ତାଙ୍କ ସ୍ୱାମୀ ତାହାକୁ ଚଳାଇ ଫେରାର ହୋଇ ଯାଉଥିଲେ । ଏହାପରେ ତାହାକୁ ନିକଟବର୍ତ୍ତୀ କନ୍ଧମାଳ ଜିଲ୍ଲାରେ ଶସ୍ତାରେ ବିକ୍ରି କରି ଦେଉଥିଲେ । 

ଗାଡ଼ି ଚୋରି ଗ୍ୟାଙ୍ଗର ଖୋଳତାଡ଼ କରି ନୟାଗଡ଼ ପୋଲିସ୍‌ ୪ ଜଣଙ୍କୁ ବାନ୍ଧିଛି । ସେମାନଙ୍କ ମଧ୍ୟରେ ଏହି ପତିପତ୍ନୀ ଥିବା ଜଣାଯାଇଛି । ଗିରଫ ୪ ଜଣ ହେଲେ ତପନ ଖମାରି, ଦିଲୀପ ପ୍ରଧାନ, ଅଜୟ ନାୟକ ଏବଂ ତାଙ୍କ ପତ୍ନୀ ପ୍ରିୟଙ୍କା ନାୟକ ।

ନୟାଗଡ଼ ଏସ୍‌ପି ଗତକାଲି ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନା ଅନୁଯାୟୀ, ଦଶପଲ୍ଲା ଅଞ୍ଚଳରେ ଗତ କିଛି ହେଲା ଗାଡ଼ି ଚୋରି ସଂଖ୍ୟା ବଢ଼ି ଯାଇଥିଲା । ଏହାପଛରେ ଥିବା ଅଭିଯୁକ୍ତଙ୍କୁ ଧରିବାକୁ ୨ଟି ଟିମ୍‌ ଗଠନ କରାଯାଇଥିଲା । ଏହି ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସମୟରେ ଦଶପଲ୍ଲା କୁଆଁରିଆ ଛକରେ ଥିବା ଏକ ଗ୍ୟାରେଜରେ ଚୋରା ଗାଡ଼ି ବିକ୍ରି ହେଉଥିବା ନେଇ ପୋଲିସ ଖବର ପାଇଥିଲା । ଦଶପଲ୍ଲା ପୋଲିସ ଗ୍ୟାରେଜ ଉପରେ ଚଢ଼ାଉ କରି ଗ୍ୟାରେଜ ମାଲିକ ତପନ ଖମାରୀ ଏବଂ ତାଙ୍କ ସହଯୋଗୀ ଦିଲୀପ ପ୍ରଧାନଙ୍କ ନିକଟରୁ ୩ଟି ଚୋରା ବାଇକ୍ ଜବତ କରିଥିଲା । ପୋଲିସ୍‌ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଏହାପରେ ଘଟଣାର ଅଧିକ ଖୋଳତାଡ଼ କରି ହରିଡ଼ାବାଡ଼ି ଗାଁର ଅଜୟ ନାୟକ ଏବଂ ତାଙ୍କ ସ୍ତ୍ରୀ ପ୍ରିୟଙ୍କା ନାୟକ ଏଥିରେ ସମ୍ପୃକ୍ତ ଥିବା ପୋଲିସ୍‌ ଜାଣିବାକୁ ପାଇଥିଲା । ସେମାନଙ୍କ ଘର ଉପରେ ଚଢ଼ାଉ କରି ୨୨ଟି ବାଇକ୍‌ ଜବତ କରି ସେମାନଙ୍କୁ ଗିରଫ କରିଥିଲା ।

ଅଜୟ ଓ ପ୍ରିୟଙ୍କା ବାଇକ୍‌ ଚୋରି ନିମନ୍ତେ ଅଭିନବ ଉପାୟ ଆପଣାଉଥିବା ପୋଲିସ୍‌ ସିସିଟିଭିରୁ ଦେଖିବାକୁ ପାଇଥିଲା । ପ୍ରଥମେ ପ୍ରିୟଙ୍କା ନିଜ ପାଖରେ ଥିବା ମାଷ୍ଟର କିରେ ଗାଡ଼ି ଖୋଳୁଥିଲେ । ଏହାପରେ ସେ କିମ୍ବା ତାଙ୍କ ସ୍ୱାମୀ ତାହାକୁ ଧରି ଘଟଣା ସ୍ଥଳରୁ ପଳାଉଥିଲେ ।

ପ୍ରିୟଙ୍କାଙ୍କ ବାପଘର କନ୍ଧମାଳ ଜିଲ୍ଲାର ବାଲିଗୁଡ଼ାରେ ହୋଇଥିବାରୁ ସେମାନେ ସେଠାରେ ଗାଡ଼ିଗୁଡ଼ିକୁ ଖୁବ୍‌ କମ୍‌ ଟଙ୍କାରେ ବିକ୍ରି କରି ଦେଉଥିଲେ । ଉକ୍ତ ଗାଡ଼ିଗୁଡ଼ିକ ଗଞ୍ଜେଇ ଚୋରା ଚାଲାଣରେ ବ୍ୟବହୃତ ହେଉଥିବାର ପ୍ରମାଣ ମିଳିଥିବା ସୂଚନା ଦେଇଛନ୍ତି ନୟାଗଡ଼ ଏସ୍‌ପି ।

ଗତ ମାସେ ମଧ୍ୟରେ ନୟାଗଡ଼ ଜିଲ୍ଲାରୁ ୫୦ଟି ଚୋରା ବାଇକ୍‌ ଜବତ ହୋଇଥିବା ବେଳେ କେବଳ ଦଶପଲ୍ଲାରୁ ୩୦ରୁ ଅଧିକ ବାଇକ୍‌ ଜବତ ହୋଇଛି । ଏହି ଘଟଣାର ମାଷ୍ଟର ମାଇଣ୍ଡ ଏ ପର୍ଯ୍ୟନ୍ତ ବାହାରେ ବୁଲୁଥିବାରୁ ତୁରନ୍ତ ସେମାନଙ୍କୁ ବି ଗିରଫ କରାଯିବ ବୋଲି ଏସ୍‌ପି କହିଛନ୍ତି ।