ଭରତପୁର ନିର୍ଯାତନା ମାମଲାର ବିଚାର ବିଭାଗୀୟ ତଦନ୍ତ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି


ଭୁବନେଶ୍ବର: ଭରତପୁର ଥାନାରେ ମେଜର ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସର ନିର୍ଯାତନା ମାମଲାର ବିଚାର ବିଭାଗୀୟ ତଦନ୍ତ ପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଥିଲେ । ଆଜି ସକାଳେ ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ବିଚାର ବିଭାଗୀୟ ତଦନ୍ତ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ମୁଖ୍ୟତଃ ୩ଟି ଦିଗ ଉପରେ ତଦନ୍ତ ଆଗେଇବା ନେଇ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।

ପ୍ରଥମ ଦିଗ: କିଭଳି ଓ କେଉଁ ପରିସ୍ଥିତିରେ ଘଟଣା ଘଟିଲା ?

ସେ ଦିନର ଘଟଣା କ୍ରମ କ’ଣ ଥିଲା ? କେଉଁ ପରିସ୍ଥିତିରେ ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଓ ମାଡ଼ମରା ଭଳି ଘଟଣା ଘଟିଲା ତାହାର ତଦନ୍ତ କରାଯିବ । ସେହିପରି ଚନ୍ଦକା ଥାନା ଅଞ୍ଚଳରେ ଘଟିଥିବା ରୋଡ୍ ରୋମିଓଙ୍କ ଅସଦାଚରଣ ଘଟଣାରେ ବି ତଦନ୍ତ କରାଯିବ । ସମସ୍ତ ଅଭିଯୋଗକୁ ବିଚାରକୁ ନେଇ ତଦନ୍ତ କରିବାକୁ ସୁପାରିସ୍ କରାଯାଇଛି । 

ଦ୍ବିତୀୟ ଦିଗ: କାହାର ରହିଛି ଭୂମିକା ଓ ଏଥିପାଇଁ ଉତ୍ତରଦାୟୀ କିଏ ?

ଘଟଣାରେ କାହାର ଭୂମିକା ରହିଛି ଓ ଏଥିପାଇଁ କିଏ ଉତ୍ତରଦାୟୀ ତାହାର ତଦନ୍ତ ହେବ । ସଂପୃକ୍ତ ବ୍ୟକ୍ତି, ଗୋଷ୍ଠୀ ଓ କର୍ତ୍ତୃପକ୍ଷଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ।

ତୃତୀୟ ଦିଗ: ଅନ୍ୟ କିଛି ଲିଙ୍କ୍ ଅଛି କି ?

ଅନ୍ୟ କିଛି ଘଟଣା ସହ ଭରତପୁର ଥାନା ଘଟଣାର ଲିଙ୍କ୍ ଅଛି କି ? ତାହାର ମଧ୍ୟ ତଦନ୍ତ କରାଯିବ । ଯଦି ଏହି ଘଟଣା ସହ ଆଉ କିଛି ଲିଙ୍କ ରହିଥିବ ତେବେ କମିଶନ ତାହାର ତଦନ୍ତ କରିବେ ।

ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଭବିଷ୍ୟତରେ ଯେପରି ଘଟଣାର ପୁନରାବୃତ୍ତି ନ ହେବ ସେନେଇ ପରାମର୍ଶ ଦିଆଯାଇଛି । ବିଜ୍ଞପ୍ତିରେ ମହିଳାଙ୍କ ନିରାପତ୍ତା ଓ ସୁରକ୍ଷା ନେଇ ମଧ୍ୟ ପରାମର୍ଶ ଦିଆଯାଇଛି । କମିଶନଙ୍କ ମୁଖ୍ୟାଳୟ ଭୁବନେଶ୍ୱରରେ ରହିବାକୁ ବିଜ୍ଞପ୍ତି କୁହାଯାଇଛି । ଯଦି କମିଶନ ଆବଶ୍ୟକ ମଣିବେ ଅନ୍ୟ ସ୍ଥାନକୁ ଯାଇ ତଦନ୍ତ କରିପାରିବେ । ବିଜ୍ଞପ୍ତି ପ୍ରକାଶର ୬୦ ଦିନ ଭିତରେ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, ଭରତପୁର ଥାନାରେ ମେଜର ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସର ନିର୍ଯାତନା ଅଭିଯୋଗକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି । ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ଗତକାଲି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରି ମାମଲାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଆଜି ସକାଳେ ଗୃହ ବିଭାଗ ପକ୍ଷରୁ ତଦନ୍ତ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।