ସ୍ଥାନ ଅଲଗା, ଘଟଣା ସମାନ: ଷୁଣ୍ଢରେ ଉଠାଇ ନେଇ ଦୁଇ ଜଣଙ୍କୁ କଚାଡି ମାରିଲା ହାତୀ


ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଞ୍ଚଳରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ପୃଥକ ପୃଥକ ସ୍ଥାନରେ ଘଟଣା ଘଟିଛି । ଉଭୟ ସ୍ଥାନରେ ଦନ୍ତାହାତୀ ଶୁଷ୍ଢରେ ଟେକି ନେଇ କଚାଡି ମାରି ଦେଇଛନ୍ତି । ଶୁଳିଆପଦା ଥାନା ଅଞ୍ଚଳରେ ଦନ୍ତା ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ମୃତ ବ୍ୟକ୍ତି ଜଣଙ୍କ ହେଲେ ସୋନପୁରିଆ ଗ୍ରାମର ରଘୁନାଥ ହେମ୍ବ୍ରମ ।

ଆଜି ସକାଳେ ରଘୁନାଥ ଓ ତାଙ୍କର ଅନ୍ୟ ୨ ସହଯୋଗୀ ନିଜ ଘର ବାରଣ୍ଡାରେ ଶୋଇଥିଲେ । ଏହି ସମୟରେ ହାତୀଟି ରଘୁନାଥଙ୍କୁ ଟେକି କଚାଡି ଦେଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟ ୨ଜଣ ମଧ୍ୟ ହାତୀ ଆକ୍ରମଣରେ ଆହତ ହୋଇଛନ୍ତି ।

ସେହିପରି ମୋରଡ଼ା ଥାନା ଉଲିଡ଼ିହି ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣଙ୍କ ହେଲେ ସାକ୍ରା ହେମ୍ବ୍ରମ । ସକାଳେ ସାକ୍ରା ଘର ଦୁଆରେ ଝାଡ଼ୁ ମାରୁଥିଲେ । ଏହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ । ହାତୀଟି ତାଙ୍କୁ ଶୁଣ୍ଢରେ ଉଠାଇ କଚାଡି ଦେଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଗତ କିଛି ଦିନ ହେବ ବାରିପଦା ବନଖଣ୍ଡରରେ ହାତୀ ଉପଦ୍ରବ ଜାରି ରହିଛି । ଝାରଖଣ୍ଡ ଓ ପଶ୍ଚିମବଙ୍ଗ ଆଡୁ ଆସିଥିବା ହାତୀ ପଲ ଗାଁରେ ପଶି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି ।